ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ ପହଲଗାମ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ଲେକଙ୍କ ପରିବାର ପାଇଁ ବଡ଼ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୃତକ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବ। ଏହା ବ୍ୟତୀତ ପଡ଼ିତ ପରିବାରର ପିଲାଙ୍କୁ ସରକାରଙ୍କ ତରଫରୁ ମାଗଣାରେ ପାଠ ପଢା ସହ ସରକାରୀ ଚାକିରି ମଧ୍ୟ ଦିଆଯିବ। ମଙ୍ଗଳବାର କ୍ୟାବିନେଟ୍ ବୈଠକ ପରେ ଫଡ଼ଣବିସ ଏହି ଘୋଷଣା କରିଛନ୍ତି।
ପହଲଗାମ ଆତଙ୍କୀ ହମଲାରେ ୨୬ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରର ୬ ଜଣ ଅଛନ୍ତି। ଫଡ଼ଣବିସ କହିଛନ୍ତି, ଏହି ଧରଣର ସାହାଯ୍ୟ କରି ଆମେ ଜଣାଇବାକୁ ଚାହୁଁ ଯେ, ଆମ ସରକାର ସର୍ବଦା ପୀଡ଼ିତାଙ୍କ ସହ ରହିଛନ୍ତି। ସେହିପରି ରାଜ୍ୟପାଳ ସିପି ରାଧାକୃଷ୍ଣନ ପହଲଗାମ ଆତଙ୍କୀ ହମଲାକୁ ନେଇ ବିବାଦୀୟ ଟିପ୍ପଣୀ କରିଥିବା କଂଗ୍ରେସ ନେତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି କିଛି ପାର୍ଟି ଏବଂ ତାଙ୍କ ନେତା ଏମିତି ସ୍ଥିତିର ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି।
ମହାରାଷ୍ଟ୍ର ପରି ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟ ବଡ଼ ଘୋଷଣା କରିଛନ୍ତି। ମୃତକଙ୍କ ପରିଜନକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟିର ନେତା ପବନ କଲ୍ୟାଣ କହିଛନ୍ତି। ଏହା ପୂର୍ବରୁ ଜମ୍ମୁ-କାଶ୍ମୀରର ଉମର ଅବଦୁଲ୍ଲା ସରକାର ମୃତକଙ୍କ ପରିବାର ପ୍ରତି ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ଉଲ୍ଲେଖନୀୟ ୨୬ ମୃତକଙ୍କ ମଧ୍ୟରେ ଓଡ଼ିଶାର ଜଣେ ସାମିଲ ଅଛନ୍ତି। ଏହା ଦୁଇ ଜଣ ବିଦେଶୀ ନାଗରିକ ବି ସାମିଲ।