ନୂଆଦିଲ୍ଲୀ: ପହଲଗାମ ନରସଂହାର ପରେ ଜଣକ ପରେ ଜଣେ ପର୍ୟ୍ୟଟକ ସେଦିନର ଅଙ୍ଗେ ଲିଭା ଲୋମ ଟାଙ୍କୁରା ଦୃଶ୍ୟକୁ ବଖାଣୁଛନ୍ତି । ସେଠାରୁ ଯେଉଁମାନେ ସୌଭାଗ୍ୟ ବଶତଃ ଜୀବନ ବଞ୍ଚାଇ ଫେରିଛନ୍ତି ସେମାନେ ନିଜର ଫଟୋ କିମ୍ବା ଭିଡ଼ିଓ ସେୟାର କରି ଆତଙ୍କୀ ହମଲାର ଦୃଶ୍ୟକୁ ଲୋକ ଲୋଚନକୁ ଆଣୁଛନ୍ତି । ଗୁଜୁରାଟ ଜଣେ ପର୍ୟ୍ୟଟକ ଋଷି ଭଟ୍ଟ ସେହି ଦୃଶ୍ୟର ପ୍ରତ୍ୟେକ୍ଷ ସାକ୍ଷୀ ଅଟନ୍ତି । ସେ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସେହି ନରସଂହାର ଦୃଶ୍ୟ କଏଦ ହୋଇଛି । କିନ୍ତୁ ତାଙ୍କ ପାଖରେ ଉପସ୍ଥିତ ଥିବା ଜିପ୍ ଲାଇନ୍ ଅପରେଟର୍ ଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଋଷି ଭଟ ୨୨ ଏପ୍ରିଲ ଦିନ ଜିପ୍ ଲାଇନରେ ଥିବାବେଳେ ଭିଡ଼ିଓ ରେକର୍ଡ କରିଥିଲେ । ତାଙ୍କ ପାଖରେ ଥିବା ଅପରେଟର୍ ମୁଜମ୍ମିଲ୍ ‘ଆଲ୍ଲାହ-ହୁ-ଆକବର’ କହୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଗୁଳିର ଶବ୍ଦ ଶୁଣିବାକୁ ମିଳୁଛି ଆଉ ଋଷି ଭଟ୍ଟ ଜିପ୍ ଲାଇନରେ ଆଗକୁ ବଢ଼ିଥିଲେ । ଆଉ ତାଙ୍କ ଭିଡ଼ିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି କେମିତି ଲୋକଙ୍କୁ ଗୁଳି କରି ହତ୍ୟା କରାଯାଉଛି । ଜଣେ ପର୍ୟ୍ୟଟକ ଜୀବନ ରକ୍ଷା କରିବାକୁ ଦୌଡ଼ି ଯିବା ସମୟରେ ତାଙ୍କୁ ପଛରୁ ଗୁଳି କରାଯାଉଛି । ତେବେ ଋଷି ଭଟ୍ଟ ଜିପ୍ ଲାଇନ୍ ଅପରେଟର୍ ମୁଜମ୍ମିଲଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କାହିଁକି ‘ଆଲ୍ଲାହ-ହୁ-ଆକବର’ ବାରମ୍ବାର କହୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ଋଷି ଭଟ୍ଟଙ୍କ ଭିଡ଼ିଓ ପରେ ତଦନ୍ତକାରୀ ଦଳ ଏନଆଇଏ ସମ୍ପୃକ୍ତ ଜିପ୍ ଲାଇନ୍ ଅପରେଟରଙ୍କୁ ମଙ୍ଗଳବାର ହେପାଜତକୁ ନେଇଛି । ଜେରା ପରେ ଅଧିକାରୀଙ୍କ ସୂତ୍ରରୁ କୁହାଯାଇଛି ଆଲ୍ଲାହ ହୁ ଆକବର କହିବା ସ୍ୱାଭାବିକ ପ୍ରକ୍ରିୟା । ଅଚାନକ କିଛି ଘଟିଲେ ଏଭଳି ସ୍ୱାଭାବିକ ପ୍ରତିକ୍ରିୟା ଆସେ । ମୁଜମ୍ମିଲର ଆତଙ୍କବାଦୀ ଆକ୍ରମଣରେ ସିଧାସଳଖ ସମ୍ପୃକ୍ତି ଥିବା ନେଇ ଏନଆଇଏକୁ କୌଣସି ଠୋସ୍ ପ୍ରମାଣ ମିଳି ନାହିଁ ।
ତେବେ ଜିପ୍ ଲାଇନ୍ ଅପରେଟର୍ ଭାଇ ମୁଖତାର ମଧ୍ୟ କହିଛନ୍ତି ତାଙ୍କ ଭାଇ ଯେତେବେଳେ ଘରକୁ ଫେରିଲା ସେ ବହୁତ ଡରି ଯାଇଥିଲା । ତାଙ୍କ ହୃଦ ସମସ୍ୟା ଥିବାରୁ ସେ ଭୟରେ କିଛି କହି ପାରୁ ନ ଥିଲା । ଏପ୍ରିଲ ୨୩ ତାରିଖରେ ମଧ୍ୟ ତାଙ୍କୁ ପଚରାଉଚରା କରାଯାଇଥିଲା ଏବଂ ଛାଡ଼ି ଦିଆଯାଇଥିଲା ।
ମୁଜମ୍ମିଲଙ୍କ ପିତା ମଧ୍ୟ କହିଛନ୍ତି, ମୁଁ ସେ ଭିଡ଼ିଓ ଦେଖି ନାହିଁ । କିନ୍ତୁ ଆମେ ମୁସଲମାନ, ଝଡ଼ ଆସିଲେ ବି ଆମେ ଆଲ୍ଲାହ-ହୁ-ଆକବର କହିଥାଉ ।