ଅମରାବତୀ: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲା ପରେ କଡ଼ା ବୟାନ ଦେଇଛନ୍ତି। ସେ ଭାରତରେ ରହି ପାକିସ୍ତାନର ସମର୍ଥନ କରୁଥିବା ରାଜନୈତିକ ଦଳ ଓ ନେତାଙ୍କୁ ତାର୍ତ୍ସଲ୍ୟ କରିଛନ୍ତି। ସେ କହିଛନ୍ତି ଭାରତରେ ରହି ପାକିସ୍ତାନର ସମର୍ଥନ କରିବାକୁ ସ୍ଵୀକାର କରାଯାଇ ପାରିବ ନାହିଁ। କଂଗ୍ରେସକୁ ଟାର୍ଗେଟ୍ କରି ସେ କହିଛନ୍ତି, କିଛି ନେତାଙ୍କ ବୟାନ ଦେଶର ଏକତା ବିରୋଧୀ ରହିଛି। ସେମାନେ ପାକିସ୍ତାନରେ ଯାଇ ରହିବା ଉଚିତ୍ ବୋଲି ପବନ କଲ୍ୟାଣ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ ପହଲଗାମ ଆତଙ୍କୀ ହମଲାରେ ମୃତ ୨୬ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପାଇଁ ଆୟୋଜିତ ସଭାକୁ ସମ୍ବୋଧିତ କରି ଉପରୋକ୍ତ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି, କାଶ୍ମୀର ଆମର। ଆତଙ୍କବାଦକୁ ରାଜନୀତି ଫାଇଦା ପାଇଁ ବ୍ୟବହାର କରିବା ଲଜ୍ଜାଜନକ। ଯେଉଁ ନେତା ପାକିସ୍ତାନର ଭାଷା କହୁଛନ୍ତି, ସେମାନଙ୍କୁ ଭାରତ ଛାଡ଼ି ଦେବା ଉଚିତ୍। ପହଲଗାମ ପରି ହୃଦୟ ବିଦାରକ ହମଲାକୁ ରାଜନୈତିକ ଚଷମାରେ ଦେଖିବା ଉଚିତ୍ ନୁହେଁ। ସେ ଜୋର ଦେଇ କହିଛନ୍ତି, ଦେଶ ଆତଙ୍କବାଦ କିମ୍ବା କୌଣସି ପ୍ରକାରର ରାଷ୍ଟ୍ର ବିରୋଧୀ ଚିନ୍ତାଧାରାକୁ ବରଦାସ୍ତ କରିବ ନାହିଁ।
ଜନସେନା ପାର୍ଟି ପହଲଗାମ ହମଲାରେ ପ୍ରାଣ ହରାଇଥିବା ଆନ୍ଧ୍ର ପ୍ରଦେଶର ବାସିନ୍ଦା ମଧୁସୂଦନ ରାଓଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ରାଓ ନିଜର ପରିବାର ସହିତ କାଶ୍ମୀର ବୁଲିବାକୁ ଯାଇଥିଲେ। ଆଉ ଏହି ସମୟରେ ପହଲଗାମର ବେସରନ ଉପତ୍ୟକାରେ ଆତଙ୍କୀ ହମଲା ହୋଇଥିଲା। ପବନ କଲ୍ୟାଣ କହିଛନ୍ତି, ରାଓଙ୍କ ପତ୍ନୀଙ୍କୁ ଯେତେବେଳେ ଭେଟିଲେ ସେ କହିଲେ ଆମେ କାଶ୍ମୀର ଭ୍ରମଣରେ ଯାଇଥିଲୁ। କାଶ୍ମୀର ଆମର ଅବିଚ୍ଛେଦ୍ୟ ଅଙ୍ଗ। ହିନ୍ଦୁଙ୍କ ପାଇଁ ଭାରତ ଏକମାତ୍ର ଦେଶ। ଆମେ ଆଉ କେଉଁଠିକୁ ବୁଲି ଯିବୁ।