ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଆସନ୍ତାକାଲି ବସୁଛି ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ (ସିସିଏସ୍)। ପହଲଗାମ ଆକ୍ରମଣ ପରେ ଏହା ସର୍ବୋଚ୍ଚ ସ୍ତରରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ। ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଯୋଗ ଦେବେ। ଘଝଇ ଅଜିତ ଡୋଭାଲ, କ୍ୟାବିନେଟ ସଚିବ ଓ ପ୍ରତିରକ୍ଷା ସଚିବ ଉପସ୍ଥିତ ରହିବେ।
ସିସିଏସ୍ ବୈଠକ ପରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ରାଜନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ) ମଧ୍ୟ ବୈଠକ କରିବ। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ, ସିସିପିଏରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀମାନେ ଏଥିରେ ସାମିଲ ହେବେ।
ଗତ ଅପ୍ରେଲ ୨୨ ତାରିଖରେ ଆତଙ୍କବାଦୀ ପହଲଗାମ୍ରେ ନରସଂହାର କରିଥିଲେ। ଗୁଳିମାଡ଼ରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ଜୀବନ ଯାଇଛି। ଏହି ଘଟଣା ପରେ ଗୁରୁବାର ସିସିଏସ୍ ବୈଠକ ବସିଥିଲା, ଯେଉଁଥିରେ ଦେଶର ସାମଗ୍ରିକ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିବା ସହ ଅପରାଧୀକୁ ନ୍ୟାୟ ମିଳିବା ନେଇ ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ।
ପହଲଗାମ୍ ଆକ୍ରମଣରେ ପାକିସ୍ତାନର ହାତଥିବା ଜଣାପଡ଼ିବା ପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ସିନ୍ଧୁ ଚୁକ୍ତିକୁ ସ୍ଥଗିତ କରିବାକୁ ନିଷ୍ପତି ନେବା ସହ ସାର୍କ ଭିସାକୁ ସ୍ଥଗିତ କରିଛନ୍ତି। ୱାଘା-ଅଟାରୀ ସୀମାକୁ ବନ୍ଦ କରି ପାକିସ୍ତାନ ସହ କୂଟନୈତିକ ସମ୍ପର୍କକୁ ହ୍ରାସ କରିଛନ୍ତି। ଏଥିସହ ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀଙ୍କୁ ରବିବାର ସୁଦ୍ଧା ନିଜ ସ୍ୱଦେଶକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରସରକାର।