ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ । ମଙ୍ଗଳବାର ଢେଙ୍କାନାଳ ଜିଲ୍ଲାର ଅବକାରୀ ଅଧୀକ୍ଷକ କୃଷ୍ଣା ନାୟକଙ୍କୁ ବାଟରେ ଅତର୍କିତ ଭାବରେ ଅଟକାଇଥିଲା ଭିଜିଲାନ୍ସ ଟିମ୍ । ଏହାପରେ ଗାଡ଼ିରୁ ଯାଞ୍ଚ ସମୟରେ ନଗଦ ୩ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଥିଲା ।
ସୂଚନା ଅନୁସାରେ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଲକ୍ଷାଧିକ ଟଙ୍କା ନେଇ କୁଆଡ଼େ ଯାଉଥିବା ନେଇ ଭିଜିଲାନ୍ସ ବିଭାଗ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲା । ଏହି ସୂଚନା ଆଧାରରେ ଟିମ୍ ଏକ ବଡ଼ଧରଣର ଚଢ଼ଉ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ। ଏଥି ପାଇଁ ଟିମ୍ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଆଗରେ ଜଗିଥିଲେ। ଏହି ସମୟରେ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ଗାଡ଼ି ପହଞ୍ଚି ଥିଲା। ପୂର୍ବରୁ ସନ୍ଦେହ କରି ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ଶ୍ରୀ ନାୟକଙ୍କ ଗାଡ଼ିକୁ ଅଟକାଇଥିଲେ ଓ ଗାଡି ମଧ୍ୟରୁ ପ୍ରାୟ ୩ ଲକ୍ଷ ଟଙ୍କା ଜବତ କରିଥିଲେ ।
ତେବେ ଏତେ ଟଙ୍କା କେଉଁଠୁ ଆସିଲା ଭିଜିଲାନ୍ସ ଅଧିକାରୀଙ୍କ ପକ୍ଷରୁ ପଚାର ଯାଇଥିଲେ ମଧ୍ୟ କୃଷ୍ଣା ନାୟକ ସଠିକ ଉତ୍ତର ଦେଇପାରିନଥିଲେ । ଏହାପରେ ଭିଜିଲାନ୍ସ ଟିମ୍ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ସରକାରୀ କ୍ବାର୍ଟରରେ ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ସରିବା ପରେ ଗାଡ଼ିରୁ ଜବତ ହୋଇଥିବା ଟଙ୍କା କେଉଁଠୁ ଆସିଥିଲା, ସେନେଇ ସଠିକ ତଥ୍ୟ ଜଣାପଡ଼ିବ।