କଟକରେ ପହଞ୍ଚିଛି ଏନଆଇଏ ଟିମ୍ । ପହଲଗାମରୁ ସୁରକ୍ଷିତ ଭାବେ ଫେରିଥିବା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚୁରା କରିଛି ଟିମ୍ । ପହଲଗାମ୍ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ଦେଉଳ ସାହିର ରଞ୍ଜିତ ଭୋଳଙ୍କ ପରିବାର । ଆଲ୍ଲାହୁ ଆକ୍ବର କହି ରଞ୍ଜିତ ଭୋଳଙ୍କ ପୁଅ ବଞ୍ଚିଯାଇଥିବା ନେଇ ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ରଞ୍ଜିତ ଭୋଳଙ୍କ ପୁଅ।
ନ୍ୟାସନାଲ ଇଭେଷ୍ଟିଗେସନ୍ ଏଜେନ୍ସି (NIA) ବିଭିନ୍ନ ଦିଗରୁ ଏହି ଘଟଣାର ତଦନ୍ତ ଜାରି ରଖିଛି । ଏହି କ୍ରମରେ ଏନଆଇଏର ଏକ ଟିମ୍ ଆଜି କଟକରେ ପହଞ୍ଚି ପହଲଗାମ୍ ହମଲାରେ ଅଳ୍ପକେ ବର୍ତ୍ତିଯାଇଥିବା ଦେଉଳିସାହିର ଭୋଳ ପରିବାରକୁ ପଚରାଉଚରା କରିଛନ୍ତି । ରଞ୍ଜିତ ଭୋଳଙ୍କ ପରିବାର ସଦସ୍ୟଙ୍କୁ ୨ ଘଣ୍ଟା ପଚରାଉଚରା କରିଥିବା ଜଣାପଡିଛି ।
୨୨ ତାରିଖରେ ରଞ୍ଜିତ ଭୋଳ ତାଙ୍କ ପୁଅ ବୋହୂଙ୍କ ବିବାହ ବାର୍ଷିକୀ ପାଳନ ପାଇଁ ଜମ୍ମୁ କାଶ୍ମୀରର ପହଲଗାମ୍ ଯାଇଥିଲେ । ଏତିକି ବେଳେ ଆତଙ୍କବାଦୀମାନେ ଅଚାନକ୍ କରିଥିଲେ ଆକ୍ରମଣ । ସେଠାରେ ଆତଙ୍କବାଦୀଙ୍କୁ ବର୍ବର କାଣ୍ଡକୁ ନିଜ ଆଖିରେ ଦେଖିଥିଲେ । ଆଉ ଏହି ସମୟରେ ରଞ୍ଜିତଙ୍କ ପତ୍ନୀ ଜୀବନ ବଞ୍ଚାଇବାକୁ ଦୌଡୁଥିବା ସମୟରେ ପଡ଼ି ଆହତ ହୋଇଥିଲେ । ଆତଙ୍କବାଦୀମାନେ ସମସ୍ତଙ୍କୁ କଲମା ପଢ଼ିବା ପାଇଁ କହିଥିଲେ । ଜଣେ ଆତଙ୍କବାଦୀ ରଞ୍ଜିତଙ୍କ ପରିବାର ଲୋକଙ୍କ ପାଖାପାଖି ଆସି ଯାଇଥିଲା । ରଞ୍ଜିତଙ୍କ ବଡ଼ ପୁଅ ସନ୍ଦୀପ ଭୋଳ ନିଜ ଜୀବନ ବଞ୍ଚାଇବାକୁ ଲଗାତର ଭାବେ ଆଲ୍ଲା ହୁ ଆକ୍ବର କହି ଚାଲିଥିଲେ । ଏହା ଶୁଣିବା ପରେ ଆତଙ୍କବାଦୀମାନେ ତାଙ୍କ ପାଖରୁ ଚାଲିଯାଇଥିଲେ ।