ଭୁବନେଶ୍ୱର: ପହଲଗାମ ଆକ୍ରମଣକୁ ନେଇ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟ କଂଗ୍ରେସ ଦାବି କରିଛି । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଆତଙ୍କବାଦୀ ଆକ୍ରମଣର ଆଲୋଚନା ପାଇଁ ଶ୍ରୀଯୁକ୍ତ କାଡ଼ାମ ପ୍ରସ୍ତାବ ଦେଇଛନ୍ତି ।
ଅନ୍ୟପକ୍ଷରେ ଆଜି ଜାତୀୟ ସ୍ତରରେ ମଧ୍ୟ କଂଗ୍ରେସ ସମାନ ଦାବି ଉପସ୍ଥାପନ କରିଛି । ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ଆଲୋଚନା ପାଇଁ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଜାମ୍ମୁ କାଶ୍ମୀର ବିଧାନସଭାରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଦୃଢ଼ ନିନ୍ଦା କରିଥିଲେ । ସେ କହିଛନ୍ତି, ମୁଁ ପର୍ଯ୍ୟଟକଙ୍କୁ କାଶ୍ମୀର ଦେଖିବାକୁ ଡାକିଥିଲି, କିନ୍ତୁ ସେମାନଙ୍କୁ ସୁରକ୍ଷିତ ଫେରାଇ ପାରିଲି ନାହିଁ । ଯେଉଁଥିପାଇଁ ଲଜ୍ଜିତ ଅନୁଭବ କରୁଛି । କ୍ଷମା ମାଗିବାକୁ ଶବ୍ଦ ନାହିଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଅବଦୁଲ୍ଲା ।