କେନ୍ଦୁଝର : ଘର ଅଗଣା ଖୁସିରେ ଫାଟି ପଡୁଥିଲା । ବଣ୍ଟା ସରିଥିଲା ନିମନ୍ତ୍ରଣ କାର୍ଡ । ତୋରଣ ବନ୍ଧା ସରିଥିଲା, ବନ୍ଧା ସରିଥିଲା ବେଦୀ । ଗୋଟିଏ ପଟେ ଭୋଜି ଆୟୋଜନ ଚାଲିଥିବା ବେଳେ ବନ୍ଧୁବାନ୍ଧବରେ ଘର ଫାଟି ପଡୁଥିଲା । ହେଲେ ହଠାତ ଏମିତି ଖବର ଆସିବା ବୋଲି କିଏ ଜାଣିଥିଲା । ପାର୍ଲରକୁ ସଜ ହେବାକୁ ଯାଇ ଘରକୁ ଫେରିଲେନି ଯୁବତୀ । ଫେରିବା ବାଟରେ କିଏ ତାଙ୍କୁ କିଡନାପ୍ କରିନେଲା । ଏହି ଖବର ଶୁଣି ସବୁକିଛି ଓଲଟ ପାଲଟ ହୋଇଗଲା । ଘଟଣା ପରେ ସାରା ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ଏଭଳି ଏକ ସମ୍ବେଦନଶୀଳ ଖବର କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରୁ ଆସିଛି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କର ବିବାହ ପାଇଁ ଲଗ୍ନ ଧରାସରିଥିଲା । ୩୦ ତାରିଖରେ ପଡିଥାନ୍ତା ହାତଗଣ୍ଠି । କିନ୍ତୁ ବିବାହ ପୂର୍ବରୁ କନ୍ୟା ହୋଇଗଲେ ଅପହରଣ । ସୋମବାର ଅପରାହ୍ନ ସମୟରେ କନ୍ୟା ଜଣଙ୍କ ନିଜ ଭାଇ ସହ ନିକଟସ୍ଥ ବଜାରରେ ଥିବା ପାର୍ଲରକୁ ଯାଇଥିଲେ । ପାର୍ଲରରୁ କାମ ସାରି ସେ ଏକା ଘରକୁ ଫେରୁଥିଲେ । ସେହି ସମୟରେ ଜଣେ ଯୁବକ ତାଙ୍କୁ ଅପହରଣ କରିନେଇଥିବା ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଅଭିଯୋଗ ପରେ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପଚରାଉଚରା କରିବା ବେଳେ ଜଣେ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ତେବେ ଯୁବତୀ ଜଣଙ୍କୁ ଏକତରଫା ପ୍ରେମ ପାଇଁ ଅପହରଣ କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ସେ ସମ୍ପର୍କରେ କିଛି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ । ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିବ ।