ଭୁବନେଶ୍ୱର : ଶିକ୍ଷାକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ରଛାତ୍ରୀଙ୍କୁ ଦିଆଯିବ ଯାଦୁପେଡ଼ି । ଖେଳ ଏବଂ ମନୋରଞ୍ଜନ ମାଧ୍ୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ । ଶିଶୁବାଟିକା, ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହି ଯାଦୁପେଡ଼ି ଦିଆଯିବ ।
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ ପାଇଁ ଏହାର ଉପଯୋଗିତା ବିଷୟରେ ବୁଝିଥିଲେ । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଯାଦୁପେଡି ଭିତରେ ଥିବା ବିଭିନ୍ନ ସାମଗ୍ରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଏହି ପେଡି ଭିତରେ ଥିବା ସାମଗ୍ରୀ ଦେଖି ଖୁସି ବ୍ୟକ୍ତ ହୋଇ କହିଛନ୍ତି ଯେ ଛୋଟ ଛୋଟ ପିଲାମାନେ ନିଜ ପାରିପାର୍ଶ୍ଵିକ ଅଞ୍ଚଳରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏହାର ଉପଯୋଗୀତା ବିଷୟରେ ଏହି ଯାଦୁପେଡିରେ ଥିବା ଖେଳନାରୁ ଶିଖି ପାରିବେ । ଶିଶୁ ମାନଙ୍କୁ ଏହି ଯାଦୁପେଡ଼ିର ଖେଳନା ଗୁଡିକ ଶିଖିବା ସହିତ ପାଠ ପ୍ରତି ମଧ୍ୟ ଆକର୍ଷିତ କରିବ।
ସୂଚନାଯୋଗ୍ୟ ଯେ, ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହି ଯାଦୁପେଡିର ପରିକଳ୍ପନା କରାଯାଇଛି। ଏହାକୁ NCERT ଦ୍ୱାରା ପ୍ରସ୍ତୁତ କରାଯାଇଛି। ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ପାଇଁ ଏହି କିଟ୍ ପ୍ରଦାନ କରାଯିବ। ପ୍ରତ୍ୟେକ କିଟ୍ ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟର ୪୫ ହଜାର ସ୍କୁଲରେ ଏହାକୁ ଆବଣ୍ଟିତ କରାଯିବ ଏବଂ ସମୁଦାୟ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ। ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରଥମ ଥର ପାଇଁ ଶିଶୁବାଟିକା ମଧ୍ୟ ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରାଯାଉଛି ।