ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା ଯାହା ଫଳରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ତେଣୁ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶକ୍ରମେ ଗ୍ରୀଷ୍ମ ପ୍ରବାହ ସମୟରେ ଜନଜୀବନର ସୁରକ୍ଷା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ (ଡିପିଏଚ୍) ଡା. ନୀଳକଣ୍ଠ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁ ବୈଠକରେ ଜିରୋ କାଜୁଆଲିଟି ଭାବରେ ଅଂଶୁଘାତ ମୃତ୍ୟୁକୁ ରୋକା ଯାଇପାରିବ ସେନେଇ ଆଲୋଚନା ହୋଇଛି ।ସେହିପରି ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାର ଡାକ୍ତରଖାନାରେ ଗ୍ରୀଷ୍ମ ପ୍ରବାହର ପ୍ରଭାବକୁ ହ୍ରାସ କରିବା ପାଇଁ ଈଂଟ୍ରାଭେନସ୍ ଫ୍ଲୁଇଡ୍, ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ୍ (ଓଆରଏସ୍), ଆବଶ୍ୟକୀୟ ଔଷଧ, ଏୟାର କୁଲର / ଶୀତତାପ ନିୟନ୍ତ୍ରିତ କକ୍ଷ ଏବଂ ସର୍ବୋପରି ପାୱାର ବ୍ୟାକଅପ୍ ସିଷ୍ଟମ୍ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାର ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଏହି ସମୀକ୍ଷା ବୈଠକରେ ଜିଲ୍ଲା ଚିକିତ୍ସା ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଡାକ୍ତର ବସନ୍ତ ପ୍ରଧାନ ( ନୋଡାଲ ଅଧିକାରୀ) ଏବଂ ଡାକ୍ତର ଅଶୋକ ପାଇକରାୟ (ରାଜ୍ୟ ପର୍ଯ୍ୟବେକ୍ଷଣ ଅଧିକାରୀ)ଙ୍କ ସମେତ ପ୍ରମୁଖ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ ।