ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସ ହସ୍ପିଟାଲ ବଡ଼ ସଫଳତା । ବିଶ୍ୱର ୧୦୦ ଶ୍ରେଷ୍ଠ ହସ୍ପିଟାଲଗୁଡ଼ିକୁ ସ୍ଥାନ ପାଇଲା ଦିଲ୍ଲୀ ଏମ୍ସ । ଆମେରିକାର ସାପ୍ତାହିକ ସମ୍ବାଦ ପତ୍ରିକା ନ୍ୟୁଜୱିକ୍ ଏବଂ ଜର୍ମାନ ସଂଗଠନ ଷ୍ଟାଟିଷ୍ଟା ୨୦୨୪ ପାଇଁ ବିଶ୍ୱର ଶ୍ରେଷ୍ଠ ଶହେ ତାଲିକା ପ୍ରକାଶ କରିଥିବା ବେଳେ ଏହି ରାଙ୍କର ଏହି ରାଙ୍କିଂରେ, ଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ୯୭ତମ ସ୍ଥାନରେ ରହିଛି । ସେହିପରି ଭାରତର ଅନ୍ୟ ଦୁଇଟି ଡାକ୍ତରଖାନା ମେଦାନ୍ତ (ଗୁରୁଗ୍ରାମ) ଓ ପିଜିଆଇଏମଇଆର (ଚଣ୍ଡିଗଡ) ଯଥାକ୍ରମେ ୧୪୬ ଏବଂ ୨୨୮ତମ ସ୍ଥାନ ଅଧିକାର କରିଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତର ଏହି ତିନିଟି ଡାକ୍ତରଖାନା ବିଶେଷ ସଫଳତା ଅର୍ଜନ କରିଥିବା ରିପୋର୍ଟରେ ଦର୍ଶାଯାଇଛି।
ଆମେରିକାର ରୋଚେଷ୍ଟରସ୍ଥିତ ମାୟୋ କ୍ଲିନିକ୍ ବିଶ୍ବର ସବଠାରୁ ଶ୍ରେଷ୍ଠ ଡାକ୍ତରଖାନା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୩୦ଟି ରାଷ୍ଟ୍ରର ୨୪୦୦ ଡାକ୍ତରଖାନାରେ ଚାଲିଥିବା ସ୍ବାସ୍ଥ୍ୟସେବାକୁ ଆଧାର କରି ଉକ୍ତ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଉନ୍ନତ ମାନର ସ୍ବାସ୍ଥ୍ୟସେବା, ଅତ୍ୟାଧୁନିକ ଡାକ୍ତରୀ ଚିକିତ୍ସା ଓ ଗବେଷଣା, ରୋଗୀସେବାର ସଫଳତା, ସ୍ବାସ୍ଥ୍ୟପଯୋଗୀ ବାତାବରଣ ଏବଂ ଅଭିଜ୍ଞ ଡାକ୍ତରୀ ଦଳ ଭଳି ପ୍ରସଙ୍ଗକୁ ଆଧାର କରି ଦିଲ୍ଲୀ ଏମ୍ସ ଦେଶର ସର୍ବଶ୍ରେଷ୍ଠ ଡାକ୍ତରଖାନାଭାବେ ମାନ୍ୟତାଲାଭ କରିଥିବା କୁହାଯାଇଛି।
ଏମ୍ସ ଦିଲ୍ଲୀ ଦେଶର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ଏବଂ ମେଡିକାଲ କଲେଜ । ଦେଶ ବିଦେଶରୁ ରୋଗୀମାନେ ଚିକିତ୍ସା ପାଇଁ ଏମସ୍ କୁ ଆସନ୍ତି । ଏଠାରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ରୋଗୀମାନଙ୍କର ଚିକିତ୍ସା କରାଯାଏ । ୧୯୫୬ ମସିହାରେ ଏମ୍ସ ପ୍ରତିଷ୍ଠିତ ହୋଇଥିଲା । ପ୍ରତିଦିନ ୧୨ ରୁ ୧୫ ହଜାର ରୋଗୀ ଓପିଡି ପାଇଁ ଏମ୍ସକୁ ଆସନ୍ତି ।