ବାୟୁ ପ୍ରଦୂଷଣ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ଧାରଣ କରୁଛି। ପ୍ରଦୂଷିତ ବାୟୁରେ ନିଶ୍ୱାସ ନେବା ଫଳରେ ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ ତାହା କୁପ୍ରଭାବ ପକାଉଛି। ଫଳରେ ନାନାପ୍ରକାର ରୋଗ ସୃଷ୍ଟି ହେଉଛି। ବାୟୁପ୍ରଦୂଷଣ ଶରୀର ଉପରେ କୁପ୍ରଭାବ ପକାଇବା ସହ ଏଥିଯୋଗୁଁ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଖରାପ ହେଉଥିବା ଏକ ଗବେଷଣାରୁ ଜଣାପଡ଼ିଛି।
ହାର୍ବିନ ମେଡ଼ିକାଲ ବିଶ୍ୱବିଦ୍ୟାଳୟ ତରଫରୁ କରାଯାଇଥିବା ଏକ ଗବେଷଣା ଅନୁଯାୟୀ ପ୍ରଦୂଷିତ ବାୟୁରେ ଦୀର୍ଘ ସମୟ ଯାଏଁ ନିଶ୍ୱାସ ନେବା ଫଳରେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ମାନସିକ ଅବସାଦର ଶିକାର ହେଉଛନ୍ତି। ପ୍ରଦୂଷିତ ବାୟୁରେ ସଲଫର ଡାଇଅକ୍ସାଇଡ଼ ରହିଥିବାରୁ ଏହା ବୟସ୍କଙ୍କ ମଧ୍ୟରେ ଅବସାଦ ସୃଷ୍ଟି କରୁଛି। ଏଥିସହ ପ୍ରଦୂଷିତ ବାୟୁରେ ଥିବା କ୍ଷୁଦ୍ର କଣିକା ଓ କାର୍ବନ ମନୋକ୍ସସାଇଡ଼ ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ପ୍ରଦୂଷିତ ବାୟୁରେ ନିଶ୍ୱାସ ନେବା ଫଳରେ ତାହା କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ଉପରେ ନକରାତ୍ମକ ପ୍ରଭାବ ପକାଉଛି। ଫଳରେ ଅବସାଦ, ଭୟ, ଉତ୍ସାହହୀନତା, ଛୋଟକଥାରେ ରାଗିଯିବା, ବିଭିନ୍ନ କଥାକୁ ଭୂଲିଯିବା ଆଦି ମାନସିକ ସମସ୍ୟା ସୃଷ୍ଟି ହେଉଥିବା ଗବେଷଣାରୁ ଜଣାପଡ଼ିଛି।