ଭୁବନେଶ୍ୱର: ଆହୁରି ୭ ଦିନ ରାଜ୍ୟରେ ବର୍ଷା ଜାରି ରହିବ। ଆସନ୍ତାକାଲି ଠାରୁ ୪ ଦିନ ରାଜ୍ୟରେ ପ୍ରବଳ ବର୍ଷିବ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିବ। ତେବେ କାଳବୈଶାଖୀ ବର୍ଷାକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ଏସଆରସି। ଯେକୌଣସି ପରିସ୍ଥିତିର ମୁକାବିଲ ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି କୁଆପଥର ମାଡ଼ରୁ ଫସଲ ଓ ପନିପରିବାକୁ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ କାଳବୈଶାଖୀ ଜନିତ କ୍ଷୟକ୍ଷତି ନେଇ ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପ୍ରଶାସନକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।
କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ବିଜୁଳି ହେବ। ଏଥିପାଇଁ ୧୯ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ରାୟଗଡ଼ା, କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ମୟୁରଭଞ୍ଜ, ଏବଂ କେନ୍ଦୁଝର ଜିଲ୍ଲାକୁ ମଧ୍ୟ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି।