ଭୁୁବନେଶ୍ୱର: ଆସନ୍ତା ଏପ୍ରିଲ ୧୯ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ । ଏହି ଗସ୍ତରେ ଗଡକରୀ ରାଜ୍ୟର ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ । ଏ ସଂପର୍କରେ ସୋମବାର ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର ।
ଗୋଲକ କହିଛନ୍ତି, ୧୯ ତାରିଖରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଦିନ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ରାଜ୍ୟ ପାଇଁ ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ପାଇଁ ଏବେ ସୁବର୍ଣ୍ଣ ଯୁଗ, କାରଣ ଡବଲ ଇଞ୍ଜିନ ସରକାର ଅଧୀନରେ ବିକାଶ ପାଇଁ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟକୁ ଆସୁଛନ୍ତି, ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ମାସ ୧୧ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓଡିଶା ଗସ୍ତରେ ଆସିଥିଲେ । କଟକରେ ବାଲିଯାତ୍ରା ପଡିଆରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଆରମ୍ଭ କରିଥିଲେ।