ଭୁବନେଶ୍ୱର: ଭୁବନେଶ୍ୱରର ରାମ ମନ୍ଦିର ବାହାରେ ଶନିବାର ବିଳମ୍ବିତ ରାତିରେ ଜଣେ ଦୃଷ୍ଟିହୀନ ମାଆଠାରୁ ୨ ବର୍ଷର ଶିଶୁପୁତ୍ରକୁ ଛଡ଼ାଇ ନିଆଯିବା ଘଟଣାରେ କମିଶନରେଟ୍ ପୋଲିସ ମଲ୍ଟି ଟିମ୍ ଗଠନ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି ଯେ ଏକ ଅପହରଣ ମାମଲା ରୁଜୁ କରାଯାଇଛି ଏବଂ ଶିଶୁପୁତ୍ରକୁ ଖୋଜିବା ପାଇଁ ମାନବିକ ଏବଂ ବୈଷୟିକ ବୁଦ୍ଧିମତା ବ୍ୟବହାର କରାଯାଉଛି। ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ସିସିଟିଭି ଫୁଟେଜ, ହ୍ୟୁମାନ ଇଣ୍ଟେଲିଜେନସକୁ ଆଧାର କରି ପୋଲିସ ତଦନ୍ତ କରୁଛି । ଖୁବ୍ ଶୀଘ୍ର ଅପହରଙ୍କରୀଙ୍କୁ ଧରିବେ କହିଛନ୍ତି ଭୁବନେଶ୍ୱର ଡିସିପି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁଇଜଣ ପୁରୁଷ ମନ୍ଦିର ଅଞ୍ଚଳରୁ ରାଜମହଲ ଆଡକୁ ଏକ ଶିଶୁକୁ ଧରି ଯାଉଥିଲେ। ତେବେ ମାନବ ଅଙ୍ଗ ଚାଲାଣରେ ସମ୍ପୃକ୍ତ ଥିବା ଲୋକଙ୍କ ଦ୍ୱାରା ଛୁଆକୁ ଅପହରଣ କରାଯାଇଥିବା ନେଇ ସନ୍ଦେହ କରାଯାଉଛି।
ଘଟଣା ମୁତାବିକ ୧୨ ଅପ୍ରିଲ ଶନିବାର ରାତି ପ୍ରାୟ ସାଢେ ୧ଟା ବେଳେ ରାମମନ୍ଦିର ଆଗରୁ ଶିଶୁକୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଜଣେ ଦୃଷ୍ଟିବାଧିତ ମହିଳ ଜୟନ୍ତୀ ମଳ୍ଲିକଙ୍କ କୋଳରୁ ତାଙ୍କ ଶିଶୁପୁତ୍ରକୁ ଅପହରଣ କରିନେଇଛନ୍ତି। ପ୍ରଥମେ ଶିଶୁଟିକୁ ଫଳରସ ଦେଇ ମୋବାଇଲରେ ତା ସହ ଖେଳିଥିଲେ ଅପହରଣକାରୀ। ତେବେ ଏହାପରେ ସେଠାରୁ ଶିଶୁକୁ ନେଇ ଚମ୍ପଟ ମାରିଥିଲେ।
ରାମ ମନ୍ଦିର ଭଳି ହାଇ ସିକ୍ୟୁରିଟି ସ୍ଥାନରୁ ଆଗରୁ ରାତିରେ ଚୋରି ହେବା ଘଟଣାକୁ ନେଇ ସବୁ ମହଲରେ ଚର୍ଚ୍ଚା କରାଯାଉଛି। ତେବେ ଅସହାୟ ମହିଳାଙ୍କ ପୁତ୍ରକୁ ଖୋଜିବାକୁ ପୋଲିସ ତିନୋଟି ସ୍ଵତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରୁଛି। ରାମ ମନ୍ଦିରରୁ ପ୍ରସ୍ଥାନ ରୁଟର ସବୁ ଉଉଞଠ ଅନୁଧ୍ୟାନ କରାଯାଉଛି। ଭିକ୍ଷା ବୃତ୍ତି କରୁଥିବା, ଯାଯାବର ଭାବେ ବୁଲୁଥିବା ବିଭିନ୍ନ ଲୋକଙ୍କୁ ପଚରା ଉଚୁରା କରୁଛି ପୋଲିସ । ଖୁବ୍ ଶୀଘ୍ର ଅପହରଣକାରୀଙ୍କୁ ଗିରଫ କରିବ ପୋଲିସ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।