ଲଖନଉ: ଶେଷରେ ଚେନ୍ନାଇ ସୁପର କିଙ୍ଗସର ଭାଗ୍ୟ ବଦଳିଛି । ଆଇପିଏଲ ୨୦୨୫ର ୩୦ତମ ମ୍ୟାଚରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ସୁପର ଜାଏଣ୍ଟସ ଲଖନଉକୁ ତାରି ମାଟିରେ ୫ ୱିକେଟରେ ହରାଇଛି ଚେନ୍ନାଇ । ଏଥିସହ କ୍ରମାଗତ ପାଞ୍ଚ ପରାଜୟ ପରେ ଶେଷର ବିଜୟର ସ୍ୱାଦ ଚାଖିଛି ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରି ଲଖନଉ ୧୬୬ ରନ କରିଥିଲା । ଜବାବରେ ଚେନ୍ନାଇ ୧୯.୩ ଓଭରରେ ୫ ୱିକେଟ ହରାଇ ମ୍ୟାଚ୍ ଜିତି ନେଇଛି । ଏମଏସ ଧୋନୀ ୧୧ ବଲରୁ ୨୬ ରନର ବିସ୍ଫୋରକ ଇନିଂସ ଖେଳି ଦଳ ବିଜୟରେ ବଡ ଯୋଗଦାନ ଦେଇଛନ୍ତି । ସପ୍ତମ ମ୍ୟାଚରୁ ଚେନ୍ନାଇର ଏହା ଦ୍ୱିତୀୟ ବିଜୟ ହୋଇଥିବା ବେଳେ ସେହି ସମାନ ମ୍ୟାଚରୁ ଲଖନଉ ତୃତୀୟ ପରାଜୟ ଭୋଗିଛି ।
୧୬୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇକୁ ଦୁଇ ଓପନର ରଚିନ ରବୀନ୍ଦ୍ର ଓ ଶେଖ ରସିଦ ଭଲ ଆରମ୍ଭ ଦେଇଥିଲେ । ଦୁଇ ଓପନର ପ୍ରଥମ ୱିକେଟରେ ୫୨ ରନ ଯୋଡି ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ରଶିଦ ୨୭ ରନ ଓ ରଚିନ ୩୭ ରନ କରି ଆଉଟ୍ ହେବା ପରେ ମଧ୍ୟକ୍ରମରେ ଚେନ୍ନାଇ ଚାପଗ୍ରସ୍ତ ହୋଇଥିଲା । ରାହୁଲ ତ୍ରିପାଠୀ ୯ ରନ, ରବୀନ୍ଦ୍ର ଜାଡେଜା ୭ ରନ ଓ ବିଜୟ ଶଙ୍କର ୯ ରନ କରି ଆଉଟ୍ ହୋଇଥିଲେ ।
୧୧୧ ରନରେ ୫ ୱିକେଟ୍ ହରାଇ ଚାପରେ ରହିଥିଲା ଚେନ୍ନାଇ । ଦଳକୁ ୩୦ ବଲରେ ୫୬ ରନ ଦରକାର ଥିଲା । ଶେଷ ୫ ଓଭରରେ ଶିବମ ଦୁବେ ଓ ଏମଏସ ଧୋନୀ ବିସ୍ଫୋରକ ବ୍ୟାଟିଂ କରିଥିଲେ । ବିଶେଷ କରି ଧୋନୀଙ୍କ ଧୂଆଁଧାର ବ୍ୟାଟିଂ ଚେନ୍ନାଇ ଉପରୁ ଚାପ ହଟାଇବା ସହ ଦଳ ବିଜୟରେ ବଡ ଯୋଗଦାନ ଦେଇଥିଲା । ଦୁଇ ବ୍ୟାଟର ଅବିଭାଜିତ ଷଷ୍ଠ ୱିକେଟରେ ୫୭ ରନ ଯୋଡି ଦଳକୁ ଜିତାଇଛନ୍ତି । ଧୋନୀ ୧୧ ବଲରୁ ୨୬ ରନ ଓ ଦୁବେ ୩୭ ବଲରୁ ୪୩ ରନର ଅପରାଜିତ ଇନିଂସ ଖେଳିଥିଲେ ।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲଖଉନ ୭ ୱିକେଟ ହରାଇ ୧୬୬ ରନ କରି ପାରିଥିଲା । ଆଜିର ମ୍ୟାଚରେ ଦୁଇ ଇନଫର୍ମ ବ୍ୟାଟର ଆଡନ ମାରକ୍ରମ ଓ ଚଳିତ ସଂସ୍କରଣର ସର୍ବାଧିକ ସ୍କୋରର ନିକୋଲାସ ପୂରନ କିଛି ଖାସ୍ କରି ପାରି ନଥିଲେ । ମିଚେଲ ମାର୍ଶ ୩୦ ରନ କରିଥିଲେ । ମଧ୍ୟକ୍ରମରେ ଋଷଭ ପନ୍ତ ଆଜି ଅଧିନାୟକତ୍ୱ ଇନିଂସ ଖେଳିଥିଲେ । ସେ ୪୯ ବଲରୁ ୬୩ ରନ କରିବାରୁ ଲଖଉନ ଏହିି ସ୍କୋର କରି ପାରିଥିଲା । ଆୟୁଷ ବାଦୋନି ୨୨ ରନ ଓ ଅବଦୁଲ ସାମଦ ୨୦ ରନ କରିଥିଲେ ।