ଅଢେଇ କୋଟି ଗଛ ଲାଗିବ । ଗଛ ଲଗାଇବେ ମିଶନ ଶକ୍ତିର ମା’ମାନେ । ପ୍ରଥମ ପର୍ଯ୍ୟାୟରେ ସପ୍ତାହେ ମଧ୍ୟରେ ଏହି ଗଛ ଲଗାଇବାକୁ ଆହ୍ୱାନ ଦିଆଯାଇଛି । ଯିଏ ଯେଉଁ ଗଛ ଲଗାଇବେ ନିଜ ମା’ର ଯତ୍ନ ନେଲାଭଳି ସେ ଗଛର ଯତ୍ନ ନେବାକୁ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏନେଇ ହର୍ଟି କଲଚର, କୃଷି ବିଭାଗ, ଜଙ୍ଗଲ ବିଭାଗ ଏବଂ ବିଭିନ୍ନ ନର୍ସରୀରେ ଥିବା ଗଛ ଗୁଡିକୁ ମିଶନ୍ ଶକ୍ତି ମାଆମାନଙ୍କୁ ଯୋଗାଇ ଦେବାକୁ ଉପ-ମୁଖ୍ୟମନ୍ତ୍ରୀ ଚିଠି ଲେଖିବେ ବୋଲି ସୂଚନା ମିଳିଛି । ସେ କହିଛନ୍ତି, ସାଢେ ୪ କୋଟି ଓଡିଆଙ୍କ ପାଇଁ ସାଢେ ଚାରି କୋଟି ଗଛ ଲଗାଇବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଲକ୍ଷ୍ୟ ରଖିଛି । ମିଶନ ଶକ୍ତିର ମାଆ ମାନେ ନିଜ ବାଡ଼ି କିମ୍ବା ରାସ୍ତା କଡ଼ରେ ଗୋଟିଏ ଲେଖା ଗଛ ଲଗେଇବେ । ଆଉ ଯିଏ ଯେଉଁ ଗଛ ଲଗେଇବେ ନିଜ ମାଆର ଯତ୍ନ ନେଲା ଭଳି ସେ ଗଛର ଯତ୍ନ ନେବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।
ସେହିପରି ସୁଭଦ୍ରା ଯୋଜନା ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟରେ ସୁଭଦ୍ରା ଯୋଜନା କାର୍ୟ୍ୟକାରୀ କରିବା ନେଇ ବଡ ବୟାନ ରଖିଛନ୍ତି । ସେ କହିଛନ୍ତି, କ୍ୟାବିନେଟ୍ ମୋହର ବାଜିବା ପରେ ସୁଭଦ୍ରା ଯୋଜନା ଡ୍ରାଫ୍ଟିଂ ଷ୍ଟେଜରେ ଅଛି । ଆସନ୍ତା ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲଞ୍ଚ ହେବ ।
ତେବେ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ମହିଳାଙ୍କୁ ମିଳିବ ଏହି ଯୋଜନାର ଲାଭ । ରାଜ୍ୟର ସବୁ ମହିଳାଙ୍କୁ ସୁଭଦ୍ରା ସ୍କିମର ଟଙ୍କା ମିଳିବ ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ସ୍କିମକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି । ଆଉ ସ୍କିମ ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି, ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ।
ଅଧିକ ପଢନ୍ତୁ : ଟିଟିଲାଗଡ଼ରେ ପ୍ରତିଷ୍ଠା ହେଲା ଶିବଦୂର୍ଗା ମନ୍ଦିର