ରାୟଗଡା: ମାରଣାସ୍ତ୍ର ସାହାଯ୍ୟରେ ପଡ଼ୋଶୀ ନେଲା ପଡ଼ୋଶୀର ଜୀବନ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏପରି ଏକ ହୃଦୟବିଦାରକ ଘଟଣା ରାୟଗଡା ଜିଲ୍ଲା ପଦ୍ମପୁର ଥାନା ସଉରା ବିକ୍ରମପୁର ଗାଁରେ ଘଟିଛି । ମୃତକ ଜଣକ ଚୈତନ୍ୟ ଶବର । ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପଣ୍ଡା ଶବର ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ଶନିବାର ଚୈତନ୍ୟ ଶବର ମଧ୍ୟାହ୍ନ ସମୟରେ ନିଜ ଘର ଲୋକଙ୍କ ସହ ଖାଉଥିବା ସମୟରେ ଅତର୍କିତ ଭାବରେ ଘର ଭିତରକୁ ପଶି ଆସିଥିଲେ ପଡ଼ୋଶୀ ପଣ୍ଡା ଶବର ଓ ତାଙ୍କ ପୁଅ । କେହି କିଛି ବୁଝିବା ଓ ଜାଣିବା ପୂର୍ବରୁ ବାପା ଓ ପୁଅ ମାରଣାସ୍ତ୍ରରେ ଚୈତନ୍ୟ ଶବରଙ୍କ ଉପରକୁ ଆକ୍ରମଣ କରି ତାଙ୍କ ଜୀବନ ନେଇଥିଲେ । ମା' ଓ ଝିଅ ଆଗରେ ଅତି ନିର୍ମମ ଭାବେ ପଡ଼ୋଶୀ ପଣ୍ଡା ଶବର ପଡ଼ୋଶୀକୁ ହତ୍ୟା କରିଥିଲା ।
ଏନେଇ ପରିବାର ଲୋକେ, ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି କରିଛି । ଗୋଟେ ପଟେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅନ୍ୟପଟେ ଅଭିଯୁକ୍ତ ପଣ୍ଡା ଶବର ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି । କେଉଁ କାରଣରୁ ପଡୋଶୀ ହତ୍ୟା କରିଲା ତାହା ମଧ୍ୟ ଜଣାନାହିଁ ବୋଲି ମୃତକଙ୍କ ସ୍ତ୍ରୀ କହିଥିଲେ । ପୋଲିସ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଜାରି କରିଛି ।