ଭୁବନେଶ୍ୱର: କିଟ୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର ଅସମ୍ବେଦନଶୀଳ ଓ ନିନ୍ଦନୀୟ । କିଟ କର୍ତ୍ତୃପକ୍ଷଙ୍କ ମନମାନି ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।
ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ପିଲା ଫେରିଆସାନ୍ତୁ । ଏହା ସହ କ୍ୟାମ୍ପସ ଭିତରେ ଶାନ୍ତିଶୃଙ୍ଖଳା ଫେରି ଆସିବ ସେ ଦିଗରେ ଚେଷ୍ଟା ହେଉଛି। କିଟ୍ କତୃର୍ପକ୍ଷଙ୍କର ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର ଅସମ୍ବେଦନଶିଳ ଓ ନିନ୍ଦନୀୟ। ସବୁ ସମସ୍ୟାର ସମାଧାନ ଥାଏ। ସମ୍ବେଦନତା ସହ ଘଟଣାକୁ ସମ୍ଭାଳିବା ଆବଶ୍ୟକ ଥିଲା । କିଟ କତୃର୍ପକ୍ଷଙ୍କ ମନମାନି ଏହା ଆଦୌ ଗ୍ରହଣୀୟ ନୁହେଁ । ଏହାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କିଟ କ୍ୟାମ୍ପସ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି । ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାର ଘଟଣାକୁ ଗୁରୁତର ସହ ନେଇଛନ୍ତି। ପୁନର୍ବାର କିପରି ଏ ଘଟଣା ନ ହେଉ ସେଥି ପ୍ରତି ସରକାର ସଚେତନ ଅଛନ୍ତି ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେପାଳ ପରାମର୍ଶଦାତା ସଞ୍ଜିବ ଦାସ ଶର୍ମା ଏବଂ ନବୀନ ରାଜ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୃତ ଛାତ୍ରୀ ପ୍ରକୃତିଙ୍କ ମାମଲାରେ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ସେ ଏହା ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ କିଟ୍ କ୍ୟାମ୍ପସରେ ଶାନ୍ତି ଏବଂ ସ୍ୱାଭାବିକତା ଫେରାଇ ଅଣାଯିବ। ନେପାଳୀ ଛାତ୍ରମାନଙ୍କୁ କ୍ୟାମ୍ପସକୁ ଫେରି ସେମାନଙ୍କ ପାଠପଢ଼ା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।