ନୂଆଦିଲ୍ଲୀ: ଅନୁସୂଚିତ ଜନଜାତି ତାଲିକାରେ ଝୋଡ଼ିଆ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ଏବଂ ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀରେ ସୌରା ଭାଷାକୁ ସ୍ୱୀକୃତି ପ୍ରଦାନ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦାବି ରଖାଯାଇଛି । କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଓଡ଼ିଶାର ଏକ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।
ସପ୍ତଗିରି ଉଲାକା ଏବଂ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟକୁ ପ୍ରଭାବିତ କରୁଥିବା 2ଟି ଦୀର୍ଘ ବିଚାରଧୀନ ପ୍ରସଙ୍କ ଉପରେ ଆଲୋଚନା କରିଛନ୍ତି । ଝୋଡ଼ିଆ ସମ୍ପ୍ରଦାୟ ସମ୍ମୁଖୀନ ହୋଇଥିବା ଐତିହାସିକ ଅନ୍ୟାୟ ଓ ସାମ୍ବିଧାନିକ ସ୍ୱୀକୃତି ମାଧ୍ୟମରେ ସୌରା ଭାଷାକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବାର ଜରୁରୀ ଆବଶ୍ୟକତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।
ସେହିପରି ଏହା ପୂର୍ବରୁ ଝୋଡ଼ିଆ ସମ୍ପ୍ରଦାୟକୁ ନେଇ କରାଯାଇଥିବା ଦସ୍ତଖତ ଅଭିଯାନ କରାଯାଇଥିଲା । ତାହାକୁ ମଧ୍ୟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । ସେଥିରେ 10,000ରୁ ଉର୍ଦ୍ଧ୍ୱ ଦସ୍ତଖତ ରହିଛି । ଏହା ସହିତ ତ୍ରିପୁରା ଦସ୍ତଖତକୁ ମଧ୍ୟ ସାମିଲ କରାଯାଇଛି ।
ପୂର୍ବରୁ ଝୋଡ଼ିଆ ସମ୍ପ୍ରଦାୟ ପରଜା ଜନଜାତିର ସମକକ୍ଷ ଭାବରେ ମାନ୍ୟତା ପାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏସଟି ତାଲିକାରୁ ବାଦ ଦିଆଯାଇଥିଲା ।
ପୂର୍ବରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟ ସଚିବ ଅନୁରୋଧ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେଣୁ ରାଷ୍ଟ୍ରପତି ତୁରନ୍ତ ଝୋଡ଼ିଆ ସମ୍ପ୍ରଦାୟର ଏସଟି ସ୍ଥିତିର ତୁରନ୍ତ ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେବା ସହ ସେମାନଙ୍କର ଶିକ୍ଷା, ରୋଜଗାର ଏବଂ ବିଭିନ୍ନ କଲ୍ୟାଣ ଯୋଜନାରେ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେବାକୁ ପ୍ରତିନିଧି ମଣ୍ଡଳୀ ଅନୁରୋଧ କରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ସପ୍ତଗିରି ଉଲାକାଙ୍କ ସମେତ, ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗ, ରାମପ୍ରସାଦ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।