ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟକୁ ନେଇ ଏବେ ବଜେଟ୍ ଅଧିବେଶନ ଉଠୁଛି ପଡ଼ୁଛି । ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି । ବିରୋଧୀ ବିଜେଡ଼ି ଏହାକୁ ଦୁର୍ଭାଗ୍ୟ ଜନକ କହିଥିବାବେଳେ କଂଗ୍ରେସ ଏହାର ନିରପେକ୍ଷ ତଦନ୍ତ ଦାବି କରିଛି । ଅନ୍ୟପକ୍ଷରେ ବିଜେପି ବିଧାୟକ ବାବୁ ସିଂ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଲଙ୍କା ସାମ୍ରାଜ୍ୟର ଗୁମର ଖୋଲିଛନ୍ତି ।
ବିଧାନସଭା ଗୃହରେ କଂଗ୍ରେସ କିଟ୍ ପ୍ରସଙ୍ଗରେ ଶୀର୍ଷକରେ ମୁଲତବୀ ପ୍ରସ୍ତାବ ଆଗତ କରିଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିବୃତ୍ତି ରଖି କହିଛନ୍ତି, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି । ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ବର୍ବୋରଚିତ । ଘଟଣା ଉପରେ ରାଜ୍ୟ ଏବଂ କେନ୍ଦ୍ର ସରକାର ନଜର ରଖିଛନ୍ତି । ନେପାଳ କର୍ତ୍ତୃପକ୍ଷଙ୍କ ସହିତ ରାଜ୍ୟ ସରକାର ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀଙ୍କ ସହିତ ବ୍ୟକ୍ତିଗତଭାବେ ଆଲୋଚନା କରାଯାଇଛି । ନେପାଳ ଛାତ୍ରଛାତ୍ରୀଙ୍କ ଗସ୍ତର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଆଜି ଏ ନେଇ ତଦନ୍ତ ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷରେ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛନ୍ତି । କାହିଁକି ଏ ଯାଏ କିଟ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଛାତ୍ରୀମାନଙ୍କୁ ଗାଳି ଗୁଲଜ କରୁଥିବା ମହିଳା କର୍ମଚାରୀଙ୍କ କଣ ପଦକ୍ଷେପ ନିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହିପରି ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । କାହିଁକି ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ୍ ଏ ଡାଏ ଘୋଷଣା କରାଗଲା ବୋଲି ସେ ପଚାରିଛନ୍ତି । ଅନ୍ୟପକ୍ଷରେ ଘଟଣାରୁ ରାଜନୀତିକରଣ ନ କରିବାକୁ ବିଧାୟକ ତୁଷାରକାନ୍ତି ବେହେରା କହିଛନ୍ତି ।
ସେପଟେ କିଟ୍ ପ୍ରସଙ୍ଗରେ ମୁଲତବି ଆଲୋଚନା ବେଳେ ବାବୁ ସିଂ ଡାକ୍ତର ଅଚ୍ୟୁତ ସାମନ୍ତଙ୍କ କଲା ସାମ୍ରାଜ୍ୟର ଗୁମର ଖୋଲିଛନ୍ତି । ସେ କହିଛନ୍ତି, ୧୯୯୧ରେ ମହର୍ଷିରେ ପଢ଼ାଇବା ବେଳେ ୮୦୦ ଟଙ୍କା ଦରମା ପାଉଥିଲେ, ୩୨ ବର୍ଷ ପରେ ୧୫ ହଜାର କୋଟିର ମାଲିକ ହୋଇଛନ୍ତି ଅଚ୍ୟୁତ ସାମନ୍ତ । ବିଜୁ ପଟ୍ଟନାୟକ ସରକାରରେ ଲୋନ୍ ନେଇ ଏଆଇସିଟିଇ (AICTE) ଦ୍ୱାରା ଲଙ୍କା ସାମ୍ରାଜ୍ୟ କଲେ । ଶିକ୍ଷା ନାଁରେ କଳା କାରନାମା କରି ସମାଜକୁ କଳୁଷିତ କରିଛନ୍ତି ଅଚ୍ୟୁତ ସାମନ୍ତ । ଆଦିବାସୀଙ୍କ ଜମିକୁ ହଡ଼ପ କରି ଜଙ୍ଗଲ ଜମିରେ ଅଟ୍ଟାଳିକା କଲେ । ଦୁର୍ନୀତି ପାଇଁ କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଲା, ସାଂସଦ କଲା ବୋଲି ପ୍ରଶ୍ନ କରିଛନ୍ତି ବାବୁ ସିଂ । ସେହିପରି ସବୁଠାରୁ ବଡ଼ କେଳେଙ୍କାରୀ କିସରେ ହୋଇଛି । ଯଦି ତଦନ୍ତ ହୁଏ ରାଜ୍ୟବାସୀ ନ୍ୟାୟ ପାଇବେ । ଏହା ବିରୋଧରେ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯିବ ବୋଲି ସେ କହିଛନ୍ତି ।