ଭୁବନେଶ୍ୱର: କିଟ୍ ପ୍ରସଙ୍ଗରେ ଆଜି ହେବ ଶୁଣାଣୀ । ଅପରାହ୍ନ ୩ଟାରେ ଶୁଣାଣୀ କରାଯିବ । ଗୃହରେ ମୁଲବତୀ ପ୍ରସ୍ତାବ ବେଳେ ଏନେଇ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ । କିଟ୍ ପ୍ରସଙ୍ଗରେ ତଦନ୍ତ ପାଇଁ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ପାଇଁ ୩ଟି କମିଟି ଗଠନ କରିଥିଲେ ରାଜ୍ୟ ସରକାର । ଏହି ଟିମରେ ସାମିଲ ଥିବା ୮ ଜଣ ଅଧିକାରୀ ଶୁଣାଣୀ ବେଳେ ଆଜି ଗୃହରେ ଉପସ୍ଥିତ ରହିବା ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେପଟେ ଏହି ଘଟଣାରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଡ଼ୁଆ ବଢ଼ିଛି । ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବା ପାଇଁ ରାଜ୍ୟ ସରକାରଙ୍କ ହାଇଲେବୁଲ କମିଟି ନିର୍ଦ୍ଦେଶ ଦେଇଛନ୍ତି । ଆଜି ସନ୍ଧ୍ୟା ସାଢ଼େ ୬ଟାରେ ହାଇଲେବୁଲ୍ କମିଟି ଆଗରେ ହାଜର ପାଇଁ ନିର୍ଦ୍ଦେଶ ହୋଇଛି। ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ କୁହାଯାଇଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।
ଏହି ପ୍ରସଙ୍ଗକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ନେପାଳ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଫେରିବାକୁ ଅନୁରୋଧ କରାଯାଇଛି । ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଛାତ୍ରଛାତ୍ରୀଙ୍କ ସହ ଏନେଇ ବ୍ୟକ୍ତିଗତ ଆଲୋଚନା ଚାଲିଛି । ଏଥିପାଇଁ ରାଜ୍ୟ ସରକାର ୪ଟି ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ।
କିଟ୍ ରେ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନିନ୍ଦା କରିବା ସହ ବର୍ବରୋଚିତ ବୋଲି କହିଛନ୍ତି ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଥିବା ସେ କହିଛନ୍ତି । ଏଥିସହ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି । ଯୋଗାଯୋଗରେ ରହି ସବିଶେଷ ତଥ୍ୟ ନେଉଛନ୍ତି କେନ୍ଦ୍ର ସରକାର । ଏହି ପ୍ରସଙ୍ଗକୁ ନେଇ ନେପାଳ କର୍ତୃପକ୍ଷଙ୍କ ସହ ରାଜ୍ୟ ସରକାରଙ୍କ ପ୍ରତିନିଧୀ ବି ଆଲୋଚନା କରିଛନ୍ତି । ସେପଟେ କିଟ୍ ଏହି କାଣ୍ଡ ପାଇଁ ଘୁଞ୍ଚିବ ମିଡ଼ ସେମିଷ୍ଟାର । ଏବେ ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ୍ କ୍ଲାସ କରାଯିବ ଆଉ ମିଡ଼ ସେମିଷ୍ଟାରକୁ ଘୁଞ୍ଚାଇ ଦିଆଯିବା ସୂଚନା ମିଳିଛି ।
କିଟ୍ ରେ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି କିଟ୍ କର୍ତ୍ତୃପକ୍ଷ କମିସନରେଟ୍ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ଛାତ୍ରଛାତ୍ରୀମାନେ ନିଜ ଜିଦରେ ଅଟଳ ରହିଥିଲେ। ରାତି ତମାମ ଚାଲିଲା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ସୋମବାର ସକାଳେ କିଟ୍ କର୍ତ୍ତୃପକ୍ଷ କଲେଜରେ ସାଇନ୍-ଏ-ଡାଏ ଘୋଷଣା କରିଥିଲେ। ହଷ୍ଟେଲ୍ ଖାଲି କରିବା ପାଇଁ ନେପାଳୀ ଛାତ୍ରଛାତ୍ରୀଙ୍କୁ କହିଥିଲେ କିଟ୍ କର୍ତ୍ତୃପକ୍ଷ ।
ଅଧିକ ପଢନ୍ତୁ: କିଟ୍ ମାମଲା : ଅଚ୍ୟୁତ ସାମନ୍ତଙ୍କୁ ହାଜର ନିର୍ଦ୍ଦେଶ
ଅତି କଦର୍ଯ୍ୟ ଭାଷାରେ ଛାତ୍ରଛାତ୍ରୀଙ୍କୁ ଗାଳି ଦେଇଥିଲେ କିଟ୍ କର୍ତ୍ତୃପକ୍ଷ। ଏତେ ପରିମାଣରେ ତଳକୁ ଖସି ଯାଇଥିଲେ ଯେ, ଛାତ୍ରଛାତ୍ରୀଙ୍କ ଦେଶର ଆର୍ଥିକ ସ୍ଥିତିକୁ ନେଇ ପରିହାସ କରିଥିଲେ। ଯାହାର ଭିଡିଓ ଭାଇରାଲ୍ ହୋଇଥିଲା। ଏପରିକି ନେପାଳୀ ଛାତ୍ରଛାତ୍ରୀଙ୍କୁ ସିକ୍ୟୁରିଟି ଗାର୍ଡ଼ ଲଗାଇ ମାଡ଼ ମାରିଥିଲେ। ପିଲାମାନଙ୍କୁ ବସରେ କଟକରେ ଛାଡ଼ି ଆସିଥିଲେ କିଟ୍ କର୍ତ୍ତୃପକ୍ଷ। ଏହାକୁ ନେଇ ଓଡ଼ିଶା ତଥା ଭାରତ ବିଦେଶରେ ନିନ୍ଦିତ ହୋଇଥିଲା।ସେପଟେ ଏହି ଘଟଣାକୁ ନେଇ ଉଷ୍ମ ହୋଇଥିଲା ରାଜ୍ୟ ରାଜନୀତି । ବିଧାନସଭା ହୋ-ହଲ୍ଲା ପରେ ହାଇଲେବୁଲ୍ କମିଟି ଗଠନ କରିଥିଲେ ରାଜ୍ୟ ସରକାର। ଆଜି ଏହି କମିଟିର ଉପସ୍ଥିତିରେ ଗୃହରେ ଶୁଣାଣୀ ହେବ ।