ଭୁବନେଶ୍ୱର: କିଟ୍ରେ ନେପାଳୀ ଛାତ୍ରୀଙ୍କ ଜୀବନ ହାରିବା ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ବର୍ତ୍ତମାନ ରାଜ୍ୟ ସମେତ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଆକ୍ସନ ମୋଡରେ ରାଜ୍ୟ ସରକାର । ଏହି ଘଟଣା ପାଇଁ କିଟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ୍ କମିଟି ଆଗରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ସଂଧ୍ୟା ସାଢ଼େ ୬ଟାରେ ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ନେପାଳୀ ଛାତ୍ରୀ ଜଣଙ୍କ ମୃତ୍ୟୁ ପରେ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣା ପରେ କିଟ୍ରେ ଛାତ୍ରଛାତ୍ରୀ ଓ କର୍ତୃପକ୍ଷଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଶତାଧିକ ନେପାଳୀ ଛାତ୍ରଛାତ୍ରୀଙ୍କୁ ବଳପୂର୍ବକ ବସ ଯୋଗେ କଟକ ରେଳଷ୍ଟେସନରେ ଛାଡ଼ି ଦିଆଯାଇଥିଲା । ସେମାନଙ୍କୁ ଘରକୁ ଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହାପରେ କିଟ୍ ପକ୍ଷରୁ ନୋଟିସ୍ ଜାରି କରାଯାଇ ସେମାନଙ୍କୁ ଫେରିଆସିବା ପାଇଁ ଅପିଲ ମଧ୍ୟ କରାଯାଇଥିଲା । ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଥିଲେ । ଏହି କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚଶିକ୍ଷା ସଚିବ ସାମିଲ ହୋଇଛନ୍ତି । ତୁରନ୍ତ ଏହି ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।