ଭୁବନେଶ୍ୱର: ଉତ୍କଳ ବିଲଡର୍ସରେ ବଡ଼ ଧରଣର ଠକେଇ ଅଭିଯୋଗ ହୋଇଛି। ଚାରି ଦିନ ଧରି ଚାଲିଛି ଆୟକର ଚଢ଼ାଉ। ଭୁବନେଶ୍ବରର ୧୧ଟି କାର୍ଯ୍ୟାଳୟ ଓ କଲିକତା ସ୍ଥିତ ୩ଟି କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି। ଏହି ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ନଗଦ ଅଢେଇ କୋଟି ଟଙ୍କା ଜବତ କରାଯାଇଛି।
ଉତ୍କଳ ବିଲ୍ଡର୍ସର ୪ଜଣ ନିର୍ଦ୍ଦେଶକଙ୍କୁ ଆଜି ସକାଳୁ ସକାଳୁ ମାରାଥନ୍ ଜେରା କରାଯାଉଥିବା ସୂଚନା ମିଳିଛି। ସଂସ୍ଥାର ନିର୍ଦ୍ଦେଶକ ପ୍ରକାଶ ଭୁରା ଓ ତାଙ୍କ ଭାଇ ରାକେଶ ଭୁରା, ଶରଦ ବୈଦ ଓ ତାଙ୍କ ଭାଇ ସନ୍ଦୀପ ବୈଦଙ୍କ ସହ ଆକାଉଣ୍ଟାଣ୍ଟ ପ୍ରସନ୍ନ ବେହେରାଙ୍କୁ ମୁହାଁମୁହିଁ ଜେରା କରାଯିବ।
ଗତ ମଙ୍ଗଳବାର ଠାରୁ ଉତ୍କଳ ବିଲ୍ଡର୍ସରେ ଚଢାଉ ଜାରି ରହିଛି। ଆୟକର ଫାଙ୍କିବା ନେଇ ଯଥେଷ୍ଟ ପ୍ରମାଣ ପାଇଛି ଆୟକର ବିଭାଗ। ୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଚାଲିଛି ଆୟକର ବିଭାଗର ଛାନଭିନ। ଚଢ଼ାଉରେ ନିୟୋଜିତ ଅଛନ୍ତି ୧୨୦ ଅଫିସର। ଆକାଉଣ୍ଟାଣ୍ଟଙ୍କୁ ଘାଣ୍ଟୁଛି ଓ ପାର୍ଟନରମାନଙ୍କୁ ପଚରାଉଚରା କରୁଛି ଟିମ୍। କେତେ ଠକିଛ ହିସାବ ଦିଅ। ଝାଳନାଳ କଲେଣି ଆୟକର ଅଫିସର।
ସୂଚନା ମୁତାବକ, ବହୁଦିନ ହେବ ସଂସ୍ଥା ପକ୍ଷରୁ ଆୟକର ଫାଙ୍କି ହେଉଥିବା ଆୟକର ବିଭାଗ ଜାଣିବାକୁ ପାଇଥିଲା। ଯୋଜନା ମୁତାବକ ମଙ୍ଗଳବାର ସକାଳ ସମୟରେ ୧୪ଟି ଟିମ୍ର ୧୨୦ ଅଧିକାରୀ ଭୁବନେଶ୍ବରର ବରମୁଣ୍ଡା, ସହିଦନଗର, କଳ୍ପନା, ପଟିଆ ଅଦି ଅଞ୍ଚଳ ସମେତ ରାଜ୍ୟ ବାହାରେ ଏକକାଳୀନ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବିଭିନ୍ନ କାର୍ଯ୍ୟାଳୟରୁ ବସ୍ତା ବସ୍ତା ଜାଲ୍ କାଗଜପତ୍ର ଜବତ କରାଯାଇଥିଲା। କାଗଜପତ୍ରଗୁଡ଼ିକ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ସଂସ୍ଥା ଆୟକର ଫାଙ୍କିବା ପାଇଁ ଏହି ଜାଲି କାଗଜପତ୍ର ପ୍ରସ୍ତୁତ କରିଥିଲା। ଆୟକର ବିଭାଗ ପକ୍ଷରୁ ଠକେଇ ନେଇ ଯାହା ଆକଳନ କରାଯାଇଥିଲା ଏହା ତା’ଠାରୁ ବଡ଼ ଧରଣର ବୋଲି ଜଣାପଡ଼ିଛି। ଏପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ ସମୟରେ ନଗଦ ଅଢେଇ କୋଟିଏ ଟଙ୍କା ଜବତ କରାଯାଇଛି।
ଅଧିକ ପଢନ୍ତୁ: ଭିଜିଲାନ୍ସ ପଞ୍ଜାରେ କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ