ଭୁବନେଶ୍ୱର: ସାଇବର ଅପରାଧ ବିରୁଦ୍ଧରେ ସଚେତନ ହେବାକୁ ସରକାର ଯେତେ ପରାମର୍ଶ ଦେଲେ ମଧ୍ୟ ଲୋକ ସୁଧୁରୁ ନାହାଁନ୍ତି । ବାରମ୍ବାର ସାଇବର ଠକଙ୍କ ମାୟା ଜାଲରେ ଫସି ହରାଉଛନ୍ତି କୋଟି କୋଟି ଟଙ୍କା । ରାଜଧାନୀ ଭୁବନେଶ୍ୱରର ଜଣେ ବରିଷ୍ଠ ନାଗରିକ ସାଇବର ଠକେଇର ଶୀକାର ହୋଇ ପ୍ରାୟ ଦେଢ଼ କୋଟି ଟଙ୍କା ହରାଇଛନ୍ତି । ଏହା ସହିତ ସେ ଗୃହ ବନ୍ଦୀ ହୋଇରହିଥିଲେ ବୋଲି ଅଭିଯୋଗ ହୋଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, କଷ୍ଟମ ବିଭାଗ ଅଧିକାରୀ କହି ଭୁବନେଶ୍ୱରର ଜଣେ ବରିଷ୍ଠ ନାଗରିକଙ୍କୁ ଫୋନ୍ କଲ୍ ଆସିଥିଲା । ଏହା ପରେ ବ୍ୟକ୍ତି ଜଣକ ସାଇବର ଅପରାଧର ଶୀକାର ହୋଇଯାଇଥିଲେ । ସେ ପ୍ରଥମେ ୭୦ ଲକ୍ଷ ଟଙ୍କା ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଟଙ୍କା ଦେଇଥିଲେ । ଦୁଇଟି ଦଫାରେ ସେ ପ୍ରାୟ ଦେଢ଼ କୋଟି ଟଙ୍କା ଦେଇଥିଲେ । ଏମିତିକି ସେ ପ୍ରାୟ ୧୦ ଦିନ ଗୋଟିଏ ଘର ଭିତରେ ଗୃହ ବନ୍ଦୀ ହୋଇରହିଥିଲେ । ତାଙ୍କୁ ଘର ବାହାରକୁ ବାହାରିବାକୁ ମଧ୍ୟ ଅନୁମତି ମିଳିନଥିଲା । ଫଳରେ ଭୟଭୀତ ହୋଇ ସେ କାହାକୁ ଜଣାଇ ପାରି ନ ଥିଲେ ।
ପରବର୍ତ୍ତୀ ସମୟରେ ବରିଷ୍ଠ ନାଗରିକ ଜଣକ ସାଇବର ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଲିଖିତ ଅଭିଯୋଗ ପରେ ସାଇବର ଥାନା ପୋଲିସ ୧୨ ଲକ୍ଷ ଟଙ୍କା ଫ୍ରିଜ୍ କରିଛି । ସାଇବର ଥାନା ପୋଲିସ ଠକଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।