ଭୁବନେଶ୍ବର: ଗଞ୍ଜାମ-କନ୍ଧମାଳ ସୀମା ଘୁମୁସର ଉଦୟଗିରି ନିକଟ କଳିଙ୍ଗା ଘାଟିରେ ଆଜି ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ସୂଚନା ଅନୁଯାୟୀ, ବୁର୍ଲାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ ଭୋର ସମୟରେ କଳିଙ୍ଗା ଘାଟିରେ ଆସୁଥିବା ବେଳେ ଅନ୍ଧାରକୋଟ ଉପର ସ୍ଥାନରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ବସରେ ଥିବା ଯାତ୍ରୀଙ୍କ କହିବା ଅନୁଯାୟୀ, "ବ୍ରେକ ଫେଲ ଯୋଗୁଁ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ତୁରନ୍ତ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ ଏବଂ ହସ୍ପିଟାଲ ନେଇଥିଲେ।"
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘୁମୁସର ଉଦୟଗିରି ପୋଲିସ, ଅଗ୍ନିଶମ ବାହିନୀ ଏବଂ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଘୁମୁସର ଉଦୟଗିରି ଏବଂ ଭଞ୍ଜନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହତ ଯାତ୍ରୀଙ୍କ ମଧ୍ୟରୁ କିଛି ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି। ବସରେ ୫୦ରୁ ଅଧିକ ଯାତ୍ରୀ ରହିଥିବା ସୂଚନା ମିଳିଛି।
ଅଧିକ ପଢନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ପୁଣି ଯାନ୍ତ୍ରିକ ତ୍ରୁଟି, ୧୦୦ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ