ଭୁବନେଶ୍ୱର: ସରିଲା କାର୍ତ୍ତିକ ପଶିଲା ମାର୍ଗଶିର । ଗତକାଲି ମାଣବସା ଗୁରୁବାର ଥିବାରୁ ଆଜି ଜମିବ ଅସଲ ଛାଡଖାଇ । ମାସେ ହେଲାଣି ପାଟିରେ ଆମିଷ ବାଜିନଥିଲା । ତେଣୁ ଅନେଇ ବସାଇଥିଲେ ପାଟିରେ ଟିକେ ଆମିଷ ପାଣି ବଜାଇବାକୁ । ସେଥିପାଇଁ ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଲୋକଙ୍କ ଗହଳି ଲାଗିଛି । ବିଭିନ୍ନ ପ୍ରକାର ମାଛ, ଚିଙ୍ଗୁଡି, କଙ୍କଡ଼ା, ମଟନ ଓ ଚିକେନରେ ଭରି ରହିଛି ଆମିଷ ବଜାର । ଆଉ ଲୋକମାନେ ନିଜ ପସନ୍ଦ ମୁତାବକ ଆମିଷ ବୋହି ନେଉଛନ୍ତି ଘରକୁ।
ଅନ୍ୟପଟେ ଆଜି ଶୁକ୍ରବର ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଲାଗିବା କଥା ଦୋକାନୀଙ୍କୁ ଆଗରୁ ଜଣାଥିଲା । ସେଥିପାଇଁ ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ଗଦାଇଛନ୍ତି । ଖାଲି ମାଛ ନୁହେଁ ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । କହିବାକୁ ଗଲେ ଆଜି ହିଁ ପ୍ରକୃତ ଛାଡଖାଇ ପାଳୁଛନ୍ତି ଲୋକେ । ଦରକୁ ଖାତିର ନକରି ନିଜ ପସନ୍ଦର ମାଛ ମାଂସ କିଣିବାରେ ଲାଗି ପଡିଛନ୍ତି । ବଜାରରେ ବିଭିନ୍ନ ପ୍ରକାର ମାଛ ସହ ବାଗଦା, ଟାଇଗର ଭଳି ଭେରାଇଟ ଚିଙ୍ଗୁଡି ଉପଲବ୍ଧ ହେଉଛି । ହେଲେ ଲୋକେ ବେଶୀ ମାଛ ମାଂସ କିଣୁଥିବା ବ୍ୟବସାୟୀ କହିଛନ୍ତି । ତେବେ ଗତକାଲି ବ୍ୟବସାୟ ଡାଉନ ଥିବାରୁ ଆଜି ଭଲ ବେପାର ଜମିବ ବୋଲି ଆଶା ବାନ୍ଧିଛନ୍ତି ବ୍ୟବସାୟୀ । ଆଉ ଆଜି ସକାଳୁ ମାର୍କେଟ ଭିଡ଼ ରହିଛି । ଏହା ଅପରାହ୍ନ ପର୍ଯ୍ୟନ୍ତ ଲାଗି ରହିବ ।