ନୂଆପଡ଼ା ନିର୍ବାଚନ ପ୍ରଚାର ଆଉ ମାତ୍ର ୪ ଦିନ ବାକି ରହିଛି। ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସବୁଦଳର ପ୍ରାର୍ଥୀ ଓ ନେତା ଏଥିଲାଗି ଜୋରଦାର କସରତ କରୁଛନ୍ତି। ନଭେମ୍ବର ୧୧ରେ ଏଠାରେ ନିର୍ଵାଚନ ହେବାକୁ ଥିବା ବେଳେ ୩ ଦଳର ନେତା ଓ ପ୍ରାର୍ଥୀ ଝାଳବୁହା କ୍ୟାମ୍ପେନ ଚଳାଇଛନ୍ତି। ଆଜି ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି ଛତିଶଗଡ଼ ମୁଖମନ୍ତ୍ରୀ ବିଷ୍ଣୁଦେବ ସାଏ। ନୂଆପଡ଼ାର ପଞ୍ଚମପୁରରେ ଜନସଭା କରି ଜୟଙ୍କ ପାଇଁ ଭୋଟ ମାଗିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ। ତେବେ ପ୍ରଚାର ସମୟରେ କଥା ଛଳରେ ତୀର ମାରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ।
ନୂଆପଡ଼ା ପ୍ରଚାର ମୈଦାନରେ ବିଜେପି ପ୍ରାର୍ଥୀ ରାଜୁ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସିଧାସଳଖ ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି "ଆପଣଙ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯିଏ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ, ହେଲେ ଓଡ଼ିଆ ଶିଖି ପାରିଲେ ନାହିଁ। ହେଲେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ହିମାଚଳ ପ୍ରଦେଶର ଝିଅ। ସେ ହିନ୍ଦୀ କ୍ଷେତ୍ରରୁ ଓଡ଼ିଶା ଆସି ଓଡ଼ିଆ ଶିଖିଗଲେ। କିନ୍ତୁ ଆପଣଙ୍କ ପୂର୍ବ ମୁଖ୍ୟମନ୍ତ୍ରୀ ରାଇଜ ଚଳାଇବା ଲାଗି ଓଡ଼ିଆ ଶିଖି ପାରିଲେ ନାହିଁ।" ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଞ୍ଚରୁ ଏଭଳି କହି ଓଡ଼ିଆ ଭାଷାକୁ ନବୀନ ପଟ୍ଟନାୟକ କେତେ ଭଲ ପାଉଥିଲେ ସେ କଥା କହିଛନ୍ତି ବିଷ୍ଣୁଦେବ ସାଏ।
ସେହିପରି କଂଗ୍ରେସ ଓଡ଼ିଶାରେ ୫୦ ବର୍ଷ ଓ ବିଜେଡି ୨୪ ବର୍ଷ ଶାସନ କରିଛି। ଭୁଲ ନୀତି, ଜନତାଙ୍କୁ ଧୋକା ଦେବାର ଫଳ ପାଉଛନ୍ତି । କଂଗ୍ରେସ କହେ ଗୋଟେ, କରେ ଆଉ ଗୋଟେ। ତେଣୁ ଜନତାଙ୍କ ବିଶ୍ଵାସ ହରାଇଲେ । କଂଗ୍ରେସ ଏବେ ସୁଦ୍ଧା ପରିବାରବାଦକୁ ଛାଡ଼ି ପାରିନି, ମାତ୍ର ବିଜେପି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ହୋଇଥିଲେ ବି ଏଠାରେ ପରିବାରବାଦର ଏହି ପରମ୍ପରା ନାହିଁ ବୋଲି ସେ କହିଛନ୍ତି। ଆପଣମାନେ ଉଭୟ ଦଳର ଶାସନ ବ୍ୟବସ୍ଥା ଦେଖିଲେ। ବର୍ତ୍ତମାନର ବିଜେପି ସରକାରକୁ ମଧ୍ୟ ଦେଖୁଛନ୍ତି। ତେବେ ଅନ୍ୟମାନଙ୍କ ଠାରୁ ବିଜେପିର ଶାସନ ବ୍ୟବସ୍ଥାରେ କଣ ଫରକ ରହିଛି ତାହା ଆପଣ ବୁଝିସାରିଥିବେ ବୋଲି କହିଛନ୍ତି ବିଷ୍ଣୁଦେବ ସାଏ।
ସେପଟେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି, ୨୪ ବର୍ଷରେ ସରକାର ରହିବି ନୂଆପଡା ପାଇଁ କିଛି କରିନାହାନ୍ତି ନବୀନ, ସେ ଏବେ ପୁରା ହତାଶ ହୋଇଗଲେଣି, ଆଉ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କହିଛନ୍ତି ପ୍ରତାପ।
ଅଧିକ ପଢନ୍ତୁ: ନୂଆପଡ଼ାବାସୀଙ୍କୁ ପ୍ରତିଶ୍ରୁତି ଦେଲା କଂଗ୍ରେସ, ଜାରି କଲା ଇସ୍ତାହାର ପତ୍ର