ବାରିପଦା : ହାତୀ ମୃତ୍ୟୁ ଘଟଣାରେ ବାରିପଦା ବେତନଟୀ ରେଞ୍ଜ ର ବନପାଳ ଏବଂ ଦୁଇ ବନରକ୍ଷୀଙ୍କୁ ନିଲମ୍ବନ କରାଯାଇଛି।
ସୂଚନାନୁଯାୟୀ, ବେତନଟୀ ରେଞ୍ଜରେ ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ବୁଲୁଥିବାବେଳେ ଏକ ଦନ୍ତା ହାତୀ ଶନିବାର ରାତିରେ ଜଙ୍ଗଲରୁ ବାହାରି ଆଗରିଆ ଅଞ୍ଚଳରେ ଥିବା ବେଳେ ଲୋକେ ପାଟିତୁଣ୍ଡ କରି ତାକୁ ଘଉଡାଇ ଦେଇଥିଲେ। ଏହାପରେ ହାତୀଟି ରେଳ ଧାରଣା ଅତିକ୍ରମ କରୁଥିବାବେଳେ ରେଳ ଫାଟକ ପଡ଼ିଯିବା ଓ ଉଭୟ ସାଇଡ଼ ଲୁହାରେ ଘେରା ଥିବାରୁ ହାତୀଟି ବାହାରକୁ ଆସି ପାରିନଥିଲା। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଶାଲିମାର୍-ପୁରୀ ଏକ୍ସପ୍ରେସ ହାତୀଟିକୁ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଦନ୍ତାର ମୃତ୍ୟୁ ହୋଇଥିଲା । ତେବେ ବନବିଭାଗ ଏବଂ ରେଳ ବିଭାଗ ମଧ୍ୟରେ ସମନ୍ୱୟର ଅଭାବରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା ।
ବେତନଟୀ ବନଞ୍ଚଳରେ ଜନବସତି, ରାଜପଥ, ସଡକପଥ ଓ ରେଳପଥ ଉପରେ ବିଭିନ୍ନ ସମୟରେ ହାତୀମାନେ ଯାତାୟତ କରୁଥିବାବେଳେ ବନବିଭାଗ ସେମାନଙ୍କ ଉପରେ ଦୃଷ୍ଟି ଦେଉନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।