ନୂଆଦିଲ୍ଲୀ: ଅନଲାଇନ ଗେମିଂ ଆପରେ ଅର୍ଥ ହେରଫେର ମାମଲାରେ ଦୁଇ ପୂର୍ବତନ କ୍ରିକେଟର୍ ଶିଖର ଧାୱନ ଏବଂ ସୁରେଶ ରୈନାଙ୍କୁ ବଡ଼ ଝଟକା ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଦୁଇ ଖେଳାଳିଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ଧାୱନ ଏବଂ ରୈନାଙ୍କ ସମ୍ପତ୍ତିକୁ ଗୁରୁବାର ଜବତ କରିଛି । ଦୁଇ ଜଣଙ୍କର ମୋଟ ୧୧ କୋଟି ୧୪ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଛି ।
ପ୍ରାଥମିକ ସୂଚନା ଅନୁସାରେ, ଇଡି ଅନଲାଇନ ଗେମିଂ ଆପ୍ ୱାନ୍ଏକ୍ସବେଟ୍ (1xBet) ବିରୁଦ୍ଧରେ ହୋଇଥିବା ମାମଲାର ଅନୁଯାୟୀ ଧାୱନଙ୍କର ସାଢ଼େ ୪ କୋଟି ଅଚଳାଚଳ ସମ୍ପତ୍ତି ଜବତ କରିଛି । ସେହିପରି ରୈନାଙ୍କର ୬ କୋଟି ୬୪ ଲକ୍ଷ ସମ୍ପତ୍ତି ମଧ୍ୟ ଜବତ ହୋଇଛି । ଏହା ସହିତ ଇଡି ଧନ ଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଆଇନ ଅନୁସାରେ ଏକ ଅସ୍ଥାୟୀ ଆଦେଶନାମା ଜାରି କରିଛି । ଉଭୟ ଖେଳାଳି ଜାଣିଶୁଣି ବିଦେଶୀ ସଂସ୍ଥା 1xBet ଏବଂ ତାର ଅନ୍ୟ କମ୍ପାନୀର ପ୍ରଚାର ପ୍ରସାର କରୁଥିଲେ ବୋଲି ଇଡି ଯାଞ୍ଚରୁ ଜାଣିବାକୁ ପାଇଛି ।
ଏହି ମାମଲାରେ ଅନ୍ୟମାନଙ୍କ ମଧ୍ୟରେ ଯୁବରାଜ ସିଂହ, ରବିନ୍ ଉଥପ୍ପା, ସୋନୁ ସୁଦ୍, ଉର୍ବଶୀ ରୌତେଲା, ମିମି ଚକ୍ରବର୍ତ୍ତୀ ଏବଂ ଅନୁଷ୍କା ହାଜରାଙ୍କୁ ମଧ୍ୟ ଜେରା କରିଥିଲା । ଏହି କମ୍ପାନୀ ନିବେଶକମାନଙ୍କର କୋଟି କୋଟି ଟଙ୍କା ହଡ଼ପ କରିବା ସହିତ ଟିକସ ଫାଙ୍କିଛି । ଭାରତରେ ୱାନ୍ଏକ୍ସବେଟ୍ (1xBet), ଫେୟାରପ୍ଲେ (FairPlay), ପରିମ୍ୟାଚ୍ (Parimatch)ଏବଂ ଲୋଟସ୍365 (Lotus365) ଭଳି ଅନଲାଇନ ଗେମିଂ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ୱାନ୍ଏକ୍ସବେଟ୍ କମ୍ପାନୀ ଯୁକ୍ତି ବାଢ଼ିଥିଲା ଯେ ସେ ବ୍ୟବସାୟିକ ସ୍ତରରେ ମାନ୍ୟତା ପାଇଛି । ବିଗତ ୧୮ ବର୍ଷ ଧରି ବେଟିଂ ରେ କାମ କରୁଛି । ପ୍ରାୟ ୭୦ ଭାଷାରେ ଏହା ଉପଲବ୍ଧ ଅଟେ ।