ଭୁବନେଶ୍ୱର : ରାଜ୍ୟକୁ ଉତ୍ତରା ବାୟୁ ପ୍ରବେଶ ସହ ଜଳୀୟବାଷ୍ପ ପରିମାଣ କମିଛି। ଏଥିପାଇଁ ରାଜ୍ୟରେ ପାରଦ ଖସିବା ସହିତ ଦିନକୁ ଦିନ ଶୀତର ପରିମାଣ ବଢିବା। ବିଶେଷକରି ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ପାରଦ ତଳମୁହାଁ ହେଉଛି। ତେବେ ଟ୍ବିନସିଟିରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ପାରଦ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏପରିକି ଆସନ୍ତା ୯ ତାରିଖ ବେଳକୁ କିଛି ସ୍ଥାନରେ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ସର୍ବନିମ୍ନ ତାପମାତ୍ରା। ତେବେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।
ସେହିପରି ଚଳିତବର୍ଷ ଶୀତର ଆଗମନରେ ସବୁଠାରୁ ଅଧିକ ଶୀତ କନ୍ଧମାଳରେ ଅନୁଭୂତ ହୋଇଛି। ଫୁଲବାଣୀ ସମେତ ବାଲିଗୁଡା, ଚକାପାଦ ଓ ଦାରିଙ୍ଗବାଡ଼ି ଭଳି ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁ ୧୦୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। ଗତକାଲି ଫୁଲବାଣୀ ଓ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଜି.ଉଦୟଗିରିରରେ ମଧ୍ୟ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ କେହି କେହି ଏହି ଶୀତର ମଜା ନେଉଥିବା ମଧ୍ୟ ଦେଖିବାକୁ ମିଳୁଛି।