ଭୁବନେଶ୍ୱର: ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତିର ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକଲ୍ୟାବ୍ ମାଲିକ ସୁରେଶ ଚନ୍ଦ୍ର ନାୟକଙ୍କର ହେବ ମିଛ ଧରା ପରୀକ୍ଷା ବା ଲାଏ ଡିଟେକ୍ସନ୍ ଟେଷ୍ଟ୍ । ଉଭୟ ତଦନ୍ତରେ ସହଯୋଗ କରୁନଥିବାରୁ ଲାଏ ଡିଟେକ୍ସନ୍ ପରୀକ୍ଷା କରିବାକୁ କ୍ରାଇମବ୍ରାଞ୍ଚ ନିଷ୍ପତ୍ତି ନେଇଛି ।
କ୍ରାଇମବ୍ରାଞ୍ଚ ସାତ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବାବେଳେ ଜେଏମ୍ଏଫସି କୋର୍ଟ ପାଞ୍ଚ ଦିନ ପାଇଁ ଅନୁମତି ପ୍ରଦାନ କରିଥିଲେ । ଏହାରି ମଧ୍ୟରେ କ୍ରାଇମବ୍ରାଞ୍ଚ ଚାରି ଦିନ ହେବା ଉଭୟଙ୍କୁ ଅଲଗା ଅଲଗା ଜେରା କରୁଛି । କିନ୍ତୁ ଉଭୟ ତଦନ୍ତରେ ସହଯୋଗ କରୁନଥିବା ଜଣାପଡ଼ିଛି । ବାରମ୍ବାର ଉଭୟ ବୟାନ ବଦଳାଉଛନ୍ତି । ବିଭ୍ରାନ୍ତିକର ତଥ୍ୟ ଦେଇ ତଦନ୍ତ ଅଧିକାରୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ଉଭୟଙ୍କର ମିଛ ଧରା ପରୀକ୍ଷା କରିବାକୁ କ୍ରାଇମବ୍ରାଞ୍ଚ ନିଷ୍ପତ୍ତି ନେଇଛି । ଆସନ୍ତାକାଲି ଶଙ୍କର ପୃଷ୍ଟିର ରିମାଣ୍ଡ ଅବଧି ଶେଷ ହେବ । ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ବ୍ରହ୍ମପୁର ଜେଏମ୍ଏଫସି କୋର୍ଟରେ ଆବେଦନ କରିବ ।