ଭୁବନେଶ୍ୱର: ଆଜି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’କୁ ୧୫୦ ବର୍ଷ ପୂରିଛି । ଏଥିପାଇଁ ସାରା ଦେଶରେ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ଲୋକସେବା ଭବନରେ ମଧ୍ୟ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ଦେ ମାତରମ୍ ଗାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ଉପସ୍ଥିତ ବିଭିନ୍ନ ବିଭାଗର ସଚିବମାନେ ମଧ୍ୟ ରାଷ୍ଟ୍ରୀୟ ଗୀତ ଗାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରିଛନ୍ତି, “ଆଜିର ଏହି ଐତିହାସିକ ଦିନଟି, ଆମ ପାଇଁ ଏକ ମହାସଙ୍କଳ୍ପର କ୍ଷଣ। ଯେଉଁ ଚିରନ୍ତନ ବାଣୀ “ବନ୍ଦେ ମାତରମ୍” ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାର ସ୍ୱପ୍ନ ସଞ୍ଚାର କରିଥିଲା, ଆଜି ତା'ର ୧୫୦ ବର୍ଷ ପୂର୍ତ୍ତି। ଏହା କେବଳ ମାତ୍ର ଏକ ଐତିହାସିକ ଦିନଟିଏ ନୁହେଁ; ଏହା ହେଉଛି ଆମ ପୂର୍ବପୁରୁଷମାନଙ୍କର ବଳିଦାନ ଏବଂ ତ୍ୟାଗରୁ ଜନ୍ମ ନେଇଥିବା ଏକ ଜାତୀୟ ସଙ୍କଳ୍ପକୁ ମନେପକାଇବାର ଦିନ। ଋଷି ବଙ୍କିମ ଚନ୍ଦ୍ରଙ୍କ ଲେଖନୀରୁ ସୃଷ୍ଟି ହୋଇ, ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ କଣ୍ଠରେ ଶକ୍ତି ପାଇଥିବା ଏହି ଗୀତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ମୃତ୍ୟୁଞ୍ଜୟ ମନ୍ତ୍ର ଥିଲା। ରାଷ୍ଟ୍ରପ୍ରେମର ଏହି ମହାମନ୍ତ୍ର ସ୍ୱାଧୀନତା ସଂଗ୍ରାମର ଶହ ଶହ କ୍ରାନ୍ତିକାରୀଙ୍କୁ ଫାଶୀ ଖୁଣ୍ଟରେ ବିଜୟର ସ୍ମିତହାସ୍ୟ ଦେଇଥିଲା। ଯେତେବେଳେ ଇଂରେଜ ସରକାର ଏହାକୁ ନିଷିଦ୍ଧ କରିବାକୁ ଚେଷ୍ଟା କଲେ, ସେତେବେଳେ ତାହାର ପ୍ରତିଟି ଧାଡ଼ି ଭାରତୀୟମାନଙ୍କ ପାଇଁ ବଜ୍ରଶପଥ ପାଲଟିଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ , ଆସନ୍ତୁ ଆଜି ଏହି ମହାନ ଗୀତର ଅମୃତ କାହାଣୀକୁ ସ୍ମରଣ କରି, ଆମେ ସମସ୍ତେ ମାତୃଭୂମିର ସାର୍ବଭୌମତ୍ୱ ଓ ଏକତା ପାଇଁ ପୁନର୍ବାର ଆମର ଜୀବନ ସମର୍ପିତ କରିବାର ଶପଥ ନେବା।"