ଭୁବନେଶ୍ୱର : ନିମାପଡ଼ାରୁ ପୁଣି ଲଢ଼ିବେ ସମୀର ଦାଶ। ନିମାପଡ଼ାର ପୂର୍ବତନ ବିଧାୟକ ତଥା ବିଜେପି ନେତା ସମୀର ରଞ୍ଜନ ଦାଶ ୨୦୨୯ ବିଧାନସଭା ନିର୍ବାଚନରେ ପୁଣିଥରେ ନିମାପଡ଼ା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି । ନିମାପଡ଼ାରେ ବିଜେପି ଯୁବ ସମାବେଶରେ ଏହି କଥା ସେ ଖୁଲମଖୁଲା କହିଛନ୍ତି। ଏହି ନିଷ୍ପତ୍ତି ପରେ ସ୍ଥାନୀୟ ଅଞ୍ଚଳର ରାଜନୈତିକ ପାଣିପାଗ ବେଶ୍ ଉଷ୍ମ ହୋଇଉଠିଛି ।
ସୂଚନା ଥାଉକି ସମୀର ଦାଶ ପୂର୍ବରୁ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଥିଲେ ଏବଂ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ ନିମାପଡ଼ାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୨୪ ନିର୍ବାଚନ ସମୟରେ ଟିକେଟ ନ ମିଳିବାରୁ ସେ ବିଜେଡି ଛାଡ଼ି ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ । ବର୍ତ୍ତମାନ ସେ ବିଜେପିର ନେତା ଭାବେ ୨୦୨୯ ନିର୍ବାଚନ ପାଇଁ ନିମାପଡ଼ା ଆସନରୁ ନିଜର ପ୍ରାର୍ଥୀତ୍ୱ ନେଇ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ।
ନିମାପଡ଼ା ରାଜନୀତିରେ ସମୀର ରଞ୍ଜନ ଦାଶ ଏକ ପ୍ରମୁଖ ଚେହେରା। ସେ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରୁ ଲଗାତାର ୩ ଥର ବିଜୁ ଜନତା ଦଳ ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ତେବେ ଗତ ୨୦୨୪ ସାଧାରଣ ନିର୍ବାଚନ ସମୟରେ ତାଙ୍କର ରାଜନୈତିକ କ୍ୟାରିୟରରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା।
୨୦୨୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ନଦେଇ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ଏହାପରେ ସମୀର ଦାଶ ବିଜେଡିରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ।
ବର୍ତ୍ତମାନ ନିମାପଡ଼ାରୁ ବିଜେପିର ପ୍ରଭାତୀ ପରିଡ଼ା ବିଜୟୀ ହୋଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ସମୀର ଦାଶ ବିଜେପିରେ ଥାଇ ମଧ୍ୟ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ବିକାଶମୂଳକ କାର୍ଯ୍ୟକୁ ନେଇ ସକ୍ରିୟ ରହୁଛନ୍ତି ।