ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । ଶୁକ୍ରବାର ଜଣେ ଶ୍ରଦ୍ଧାଳୁ ଗର୍ଭ ଗୃହକୁ ପ୍ରବେଶ କରିଥିବାବେଳେ ଅନ୍ୟଜଣଙ୍କ ନିକଟରୁ ହିଡେନ୍ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଛି ।
ଆଜି ସକାଳେ ମହାପ୍ରଭୁଙ୍କ ଅବକାଶ ନୀତି ସମାପନ ହେବା ପରେ ଦୁଇଟି ଘଟଣା ସାମ୍ନାକୁ ଆସିଛି । ଜଣେ ଶ୍ରଦ୍ଧାଳୁ ନକଲି ସେବାୟତ ବେଶରେ ଗର୍ଭଗୃହ ଭିତରକୁ ଯାଇଥିବା ଜଣାପଡ଼ିଛି । ଜଗନ୍ନାଥ ଟେମ୍ପଲ୍ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଧରି ଅଟକ ରଖିଛନ୍ତି । ଉକ୍ତ ବ୍ୟକ୍ତି ଜଣକ ହେଲେ ଯାଜପୁରର ଶଙ୍କର ମିଶ୍ର । ସେ ରତ୍ନ ସିଂହାସନକୁ ସ୍ପର୍ଶ କରିଥିବା ମଧ୍ୟ ସୂଚନା ମିଳିଛି । ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।
ଅନ୍ୟପକ୍ଷରେ ଜଣେ ଅଣଓଡ଼ିଆ ଭକ୍ତଙ୍କୁ ସ୍ପାଏ କ୍ୟାମେରା ସହିତ ଧରିଛନ୍ତି ଜେଟିପି । ସେ ହେଲେ ଭରତ ପାଣ୍ଡ୍ୟା । ସେ ଗୁଜରାଟ ଅହମ୍ମଦାବାଦର ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ସେ ଜଗମୋହନ ନିକଟରେ ଛିଡ଼ା ହୋଇ ଚଷମାରେ ଫଟୋ ଉଠାଉଥିଲେ । ଏହି ସମୟରେ ଜେଟିପିଙ୍କର ସନ୍ଦେହ ହେବାରୁ ତାଙ୍କୁ ଧରିଥିଲେ । ତାଙ୍କ ନିକଟରୁ ସ୍ପାଏ କ୍ୟାମେରା ଚଷମା ମିଳିଥିଲା । ଏହା ପରେ ତାଙ୍କୁ ସିଂହଦ୍ୱାର ଥାନାକୁ ଅଣାଯାଇଛି । ତାଙ୍କର ଚଷମା, ମୋବାଇଲ୍ ଏବଂ ଲାପଟପକୁ ଜବତ କରାଯାଇ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।