ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଦିବଙ୍ଗତ ପାଇଲଟ ସୁମିତ ସବରୱାଲଙ୍କ ପିତା ପୁଷ୍କର ସବରୱାଲ ଶୁକ୍ରବାର ସୁପ୍ରିମକୋର୍ଟରେ ବିମାନ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏ ନେଇ ପୁଷ୍କରଙ୍କ ପକ୍ଷରୁ ଦାୟର ଯାଚିକା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଡିଜିସିଏକୁ ନୋଟିସ୍ ଜାରି କରିଛନ୍ତି ।
ଆବେଦନରେ କୁହାଯାଇଛି ଯେ, ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ କରାଯାଇ ନାହିଁ । ଯାନ୍ତ୍ରିକ ତ୍ରୁଟିକୁ ଅଣଦେଖା କରାଯାଇ ସମସ୍ତ ଦୋଷ ପାଇଲଟଙ୍କ ଉପରେ ଲଦିବାକୁ ଉଦ୍ୟମ କରାଯାଇଛି । ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ପାଇଲଟଙ୍କ ୯୧ ବର୍ଷୀୟ ପିତାଙ୍କୁ ମନରେ ଏମିତି ବୋଝ ନ ରଖିବାକୁ ପରାମର୍ଶ ଦେଇଛନ୍ତି । ଆପଣ ଭାବନ୍ତୁ ନାହିଁ ଯେ, ଆପଣଙ୍କ ପୁଅକୁ ଦୋଷ ଦିଆଯାଉଛି । ପ୍ରାରମ୍ଭିକ ତଦନ୍ତରେ ମଧ୍ୟ ଏମିତି କୌଣସି ନିଷ୍କର୍ସ ବାହାରି ନାହିଁ । ବିଦେଶୀ ମିଡିଆରେ ପ୍ରକାଶିତ ରିପୋର୍ଟ ଭୁଲ୍ ଅଟେ ।
କୋର୍ଟ କହିଛନ୍ତି, ଏହି ଆବେଦନ ପୂର୍ବରୁ ଥିବା ଅନ୍ୟ ଯାଚିକା ସହିତ ଶୁଣାଣି କରାଯିବ । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ୨୨ର ଶୁଣାଣିରେ କୋର୍ଟ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଯାଞ୍ଚ ରିପୋର୍ଟରେ କିଛି ଅଂଶକୁ ପ୍ରକାଶିତ କରାଯାଇ ପାଇଲଟଙ୍କ ଉପରେ ଦୋଷ ଲଦିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୋର୍ଟ ଏକ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରି କହିଥିଲେ, ତଦନ୍ତ ଏ ପର୍ଯ୍ୟନ୍ତ ପୂରା ହୋଇ ନାହିଁ । ତେଣୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଗୋପନ ରଖାଯାଉ ।
କିଛି ମିଡିଆ ରିପୋର୍ଟରେ ବିମାନର ପାଇଲଟ କ୍ୟାପଟେନ ସୁମିତ ସବରୱାଲ ଓ କ୍ଲିଭ ସୁନ୍ଦରଙ୍କ ମଧ୍ୟରେ କଥାବାର୍ତ୍ତାର ଯାଞ୍ଚ ରିପୋର୍ଟ ଉଲ୍ଲେଖ ରହିଛି । ରିପୋର୍ଟରେ କୁହାଯାଇଛି ଯେ, କକପିଟର ଅଡିଓରୁ ଶୁଣିବାକୁ ମିଳୁଛି ଯେ, ଜଣେ ପାଇଲଟ କହୁଛି ଫୁଏଲ କାହିଁକି କଟ୍ ଅଫ କରାଯାଇଛି । ଅନ୍ୟ ପାଇଲଟ୍ ଉତ୍ତର ଦେଇ କହିଛନ୍ତୁ, ମୁଁ କଟ୍ ଅଫ କରିନାହିଁ ।
ସୂଚନାଯୋଗ୍ୟ, ଜୁନ ୧୨ରେ ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଯାଉଥିବା ବୋଇଙ୍ଗ ୭୮୭ ଡ୍ରିମ ଲାଇନର ବିମାନ ଉଡାଣ ଭରିବାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନ ମେଘାଣି ନଗର ଅଞ୍ଚଳରେ ଏକ ମେଡିକାଲ କଲେଜର ହଷ୍ଟେଲ ଉପରେ କ୍ରାଶ ହୋଇଥିଲା । ଦୁର୍ଘଟଣାରେ କ୍ରୁ ସଦସ୍ୟ ସମେତ ୨୪୧ ଜଣଙ୍କ ପ୍ରାଣହାନୀ ଘଟିଥିଲା । ବିମାନରୁ କେବଳ ଜଣେ ଯାତ୍ରୀ ଜୀବନ୍ତ ବଞ୍ଚି ଯାଇଥିଲେ । ଅନ୍ୟପଟେ ବିମାନ ଯେଉଁ କଲେଜ ଉପରେ ଖସିଥିଲା ସେଠାରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା।
Also read: କ୍ଷୀର କିଣିବାକୁ ଯାଇଥିଲେ ଭାରତୀୟ ଏମ୍ବିବିଏସ୍ ଛାତ୍ର; ରୁଷର ଡ୍ୟାମ୍ରୁ ମୃତଦେହ ଉଦ୍ଧାର