ନୂଆଦିଲ୍ଲୀ: ଜୟ ଶାହଙ୍କ ହସ୍ତକ୍ଷେପ ପରେ ପ୍ରତୀକା ରାୱଲଙ୍କୁ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପର ବିଜେତା ପଦକ ମିଳିବାକୁ ଯାଉଛି । ଏହାର ସୂଚନା ଖୋଦ୍ ପ୍ରତୀକା ଦେଇଛନ୍ତି । ଆଇସିସିର ନିୟମ ବିଶ୍ୱକପ ବିଜେତା ମେଡାଲ କେବଳ ୧୫ ଖେଳାଳିଙ୍କୁ ଦିଆଯାଏ, ଯେଉଁମାନେ ଦଳର ଥାଆନ୍ତି । ତେବେ ପ୍ରତୀକା ରାୱଲଙ୍କ କ୍ଷେତ୍ରରେ ଆଇସିସିକୁ ନିଜର ନିୟମ ବଦଳାଇବାକୁ ପଡିଛି ।
ପ୍ରତୀକା ରାୱଲଙ୍କୁ ବାଂଲାଦେଶ ବିପକ୍ଷ ଶେଷ ଲିଗ୍ ମ୍ୟାଚରେ ଆଘାତ ଲାଗିଥିଲା । ଆଘାତ ଏତେ ଗମ୍ଭୀର ଥିଲା ଯେ, ପ୍ରତୀକାଙ୍କୁ ଟୂର୍ଣ୍ଣାମେଣ୍ଟରୁ ବାହାର ହେବାକୁ ପଡିଲା । ତାଙ୍କ ସ୍ଥାନରେ ଶେଫାଳି ବର୍ମାଙ୍କୁ ସୁଯୋଗ ମିଳିଥିଲା । ଶେଫାଳି ଫାଇନାଲରେ ୮୭ ରନର ଇନିଂସ ଖେଳି ଭାରତକୁ ଚାମ୍ପିଅନ କରାଇବାରେ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଦଳରେ ଥିବାରୁ ଶେଫାଳି ବର୍ମାଙ୍କୁ କେବଳ ୨ଟି ମ୍ୟାଚ୍ ଖେଳିବା ସତ୍ତ୍ୱେ ବିଜେତା ପଦକ ମିଳିଥିଲା । ମାତ୍ର ଲିଗ୍ ପର୍ଯ୍ୟାୟ ସମୟରେ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରତୀକା ରାୱଲ ପଦକରୁ ବଞ୍ଚିତ ହେବାକୁ ପଡିଥିଲା । ପ୍ରତୀକା ଲିଗ୍ ପର୍ଯ୍ୟାୟରେ ଗୋଟିଏ ଶତକ ସହ ୩୦୦ରୁ ଅଧିକ ରନ କରିଥିଲେ । ଏହା ସହ ଓପନିଂରେ ସ୍ମୃତି ମନ୍ଧାନାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ ।
ଯେବେ ପ୍ରତୀକା ରାୱଲଙ୍କୁ ପଦକ ମିଳିଲାନି ସୋସିଆଲ ମିଡିଆରେ ପ୍ରଶଂସକ ସ୍ୱର ଉଠାଇଥିଲେ । ଭାରତ ବିଜୟରେ ପ୍ରତୀକାଙ୍କ ଯୋଗଦାନ ପାଇଁ ବିସିସିଆଇ ଉପରେ ପଦକ ଦେବା ପାଇଁ ଚାପ ପକାଇଥିଲେ । ଏବେ ପ୍ରତୀକା ରାୱଲ ଖୋଦ୍ ଖୁଲାସା କରିଛନ୍ତି ଯେ, ଜୟ ଶାହଙ୍କ ହସ୍ତକ୍ଷେପ କାରଣରୁ ତାଙ୍କୁ ପଦକ ମିଳିବାକୁ ଯାଉଛି ।
ପ୍ରତୀକା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଭାରତୀୟ ଦଳର ସାକ୍ଷାତ ସମୟରେ ସେ ଯେଉଁ ମେଡାଲ ପିନ୍ଧିଥିଲେ ତାହା ଜଣେ ସହଯୋଗୀ ଷ୍ଟାଫଙ୍କର ଥିଲା ।
Also read: ଏହି ମହିଳା କ୍ରିକେଟ୍ ଟିମ୍ ଆଗାମୀ ପୀଢ଼ିପାଇଁ ଆଦର୍ଶ: ରାଷ୍ଟ୍ରପତି