ଭୁବନେଶ୍ୱର: ଆଜି ହେଉଛି ମହାଳୟା ଅମାବାସ୍ୟା । ଆଶ୍ୱିନ ମାସର ପ୍ରଥମ ପକ୍ଷ "ପିତୃ ପକ୍ଷ" ନାମରେ ଜଣା । ଏହି ପକ୍ଷର ଅମାବାସ୍ୟା "ମହାଳୟା ଅମାବାସ୍ୟା" ନାମରେ ନାମିତ । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରାଦ୍ଧ କୁହାଯାଏ । ହିନ୍ଦୁ ଧାର୍ମିକ ପରଂପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହା ଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ ।
ମହାଳୟାରେ ତୀର୍ଥକ୍ଷେତ୍ର, ପୁଣ୍ୟତୋୟା ନଦୀ କିମ୍ବା ପୁଷ୍କରିଣୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଏ । ପୁରୀ ଶ୍ରୀମନ୍ଦିରର ବାଇଶି ପାହାଚ, ଭୁବନେଶ୍ୱର ବିନ୍ଦୁ ସାଗର କୂଳ ଆଦି ସ୍ଥାନ ମାନଙ୍କରେ ପିଣ୍ଡ ଦାନ କରୁଛନ୍ତି ଶ୍ରଦ୍ଧାଳୁ ।
କିମ୍ବଦନ୍ତି କହେ, ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା । ହେଲେ, ଖାଦ୍ୟ ଦିଆଯାଇ ନ ଥିଲା । କାରଣ ଜୀବିତ ଅବସ୍ଥାରେ ଦାନବୀର କର୍ଣ୍ଣ କେବେ ଅନ୍ନଦାନ କରି ନ ଥିଲେ । ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା ପିତୃ ପକ୍ଷ ବୋଲି ବିଶ୍ୱାସ ରହିଛି ।