କେନ୍ଦୁଝର: ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ । ଏହି ଅବସରରେ ଉତ୍ସବ ମୂଖର ହୋଇ ଉଠିଛି ଘଟଗାଁ ମା ତାରିଣୀ ପିଠ । ପୀଠରେ ଯଥା ରିତୀନିତୀ ସହ ଷଡଶ ଉପଚାରରେ ମାଙ୍କ ପୂଜା ଅନୁଷ୍ଟିତ ହୋଇଛି। ମାଙ୍କ ପିଠରେ ଚଣ୍ଡି ପାଠ, ହୋମ ଯଜ୍ଞ, ଭାଗବତ ପାରୟଣ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଛି ।
ଆଜି ବ୍ରାହ୍ମ ମୁହୂର୍ତ୍ତରୁ ସେବାୟତ ମାନେ ଆସି ମାଙ୍କର ସ୍ୱତନ୍ତ୍ର ନୀତିକାନ୍ତି କରିଥିଲେ । ମାଙ୍କୁ ଘିଅ,ହଳଦୀ,ଅଗୁର, ଚୂଆ, ଚନ୍ଦନ, କର୍ପୂର ମିଶ୍ରିତ ଜଳରେ ମାଙ୍କୁ ସ୍ନାନ କରିଥିଲେ । ପରେ କ୍ଷୀର , ଦହି ,ମହୁ, କଦଳୀ ,ଘିଅ,ଗୁଡ଼ ମିଶ୍ରିତ ପଞ୍ଚମୃତରେ ମହାସ୍ନାନ କରିଥିଲେ । ତାପରେ ସପ୍ତତୀର୍ଥ ଜଳରେ ସ୍ନାନ କରି ମାଙ୍କୁ ଶାଢୀ ,ସଙ୍ଖା ,ସିନ୍ଧୁର,ଫୁଲମାଳ ପିନ୍ଧାଇ ସୁନାର ଚକ୍ଷୁ, ଚିତା,ମୁକୁଟ ଓ ଅନ୍ୟାନ୍ୟ ସୁନାରେ ମାଙ୍କୁ ଆଭୂଷଣ କରାଯାଇଥିଲା ।
ତେବେ ଆଜି ମାଙ୍କ ସୁନାବେଶ ଅନୁଷ୍ଠିତ ହେଉଥିବାରୁ ସକାଳ ପ୍ରହରରୁ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଧାଳୁଙ୍କ ଭିଡ ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ବୋର୍ଡ ତରଫରୁ ଭକ୍ତ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି । ଏହାସହ ବ୍ୟାରିକେଟ ଦେଇ ଭକ୍ତ ମାନେ ଆସି ମା'ଙ୍କୁ ସୁନା ବେଶରେ ଦର୍ଶନ କରୁଛନ୍ତି ।