ସମ୍ବଲପୁର: ଓଡିଶାର ଏହି ଜିଲ୍ଲାରେ ପୂଜା ପାଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧି । ଆଜି ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ଜନ୍ମଦିନ ଅର୍ଥାତ ଆଜି ହେଉଛି ଗାନ୍ଧି ଜୟନ୍ତୀ। ତେଣୁ ପୂରା ଭାରତ ବର୍ଷରେ ଉତ୍ସାହର ଲହରୀ ଖେଳିଯାଇଛି । ତେବେ ସମ୍ବଲପୁର ସହରର ଭତରା ଗାଁରେ ରହିଛି ଏହି ମନ୍ଦିର । ଏଠାରେ ସକାଳେ ଏବଂ ସଂନ୍ଧ୍ୟାରେ ବାପୁଜୀଙ୍କୁ ପୂଜା କରାଯାଏ । ଏହି ମନ୍ଦିରକୁ ଜଣେ ହରିଜନ ବ୍ୟକ୍ତି ପ୍ରତିଷ୍ଠା କରିଥିଲେ ଏବଂ ଏହାର ସମସ୍ତ ଦାୟିତ୍ୱ ହରିଜନ ସଂମ୍ପ୍ରଦାୟର ବ୍ୟକ୍ତି ବୁଝିଥାନ୍ତି।
ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ଧନୁପାଲି ନିକଟସ୍ଥ ଭତରା ଗାଁରେ ରହିଛି ପ୍ରସିଦ୍ଧ ଗାନ୍ଧୀ ମନ୍ଦିର l ମନ୍ଦିର ଭିତରେ ରହିଛି ବାପୁଜୀଙ୍କ ଭବ୍ୟ ପ୍ରତିମା ଯେଉଁଠି ପ୍ରତ୍ୟେକ ଦିନ ଗାନ୍ଧିଜୀଙ୍କୁ ହିଁ ପୂଜା କରାଯାଏ l ମନ୍ଦିର ସମ୍ମୁଖରେ ରହିଛି ଅଶୋକ ସ୍ତମ୍ଭ ଓ ମନ୍ଦିର ମୁଖ୍ୟ ଦ୍ଵାର ଉପର ଭାଗରେ ଶୋଭା ପାଉଛନ୍ତି ତ୍ରିରଙ୍ଗା ସହ ଭାରତ ମାତାl ମନ୍ଦିର ଭିତରେ ମୁଖ୍ୟ ସ୍ଥାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଥିବା ବେଳେ, ପାଖରେ ସୁଭାଷ ବୋଷ ଓ ଆମ୍ବେଦକରଙ୍କ ପରି ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର ରହିଛିl
ସ୍ବର୍ଗତ ଅଭିମନ୍ୟୁ କୁମାର ଛୋଟ ଥିବା ସମୟରେ ମହାତ୍ମା ଗାନ୍ଧୀ ୧୯୨୮ ମସିହାରେ ସମ୍ବଲପୁର ଗସ୍ତରେ ଆସିଥିଲେ l ସେତେବେଳେ ମହାତ୍ମା ଗାନ୍ଧୀ ସମ୍ବଲପୁର ବାଲିବନ୍ଧା ଠାରେ ମହାନଦୀରେ ଏକ ଜନସଭା କରିଥିଲେ l ଅଭିମନ୍ୟୁ ଗାନ୍ଧିଜୀଙ୍କ ଭାଷଣ ଶୁଣି ତାଙ୍କ ନୀତି ଆଦର୍ଶରେ ଏତେ ଅନୁପ୍ରାଣିତ ହୋଇଥିଲେ ଯେ ତାଙ୍କୁ ସେ ଭଗବାନ ମାନି ନେଇଥିଲେ ଓ ମନେ ମନେ ତାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବେ ବୋଲି ଭାବିଥିଲେ l ପରେ ସେ ଯେତେବେଳେ ରେଢ଼ାଖୋଲ ବିଧାୟକ ହୋଇଥିଲେ ସେ ନିଜ ଉଦ୍ୟମରେ ଏହି ମନ୍ଦିରକୁ ନିର୍ମାଣ କରିଥିଲେ l