ପୁରୀ: ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଏହି ଦିନ ମା’ ଦୁର୍ଗା ମହିଷାସୁରକୁ ବଧ କରି ଅସତ୍ୟ ଉପରେ ସତ୍ୟର ବିଜୟ ଭାବେ ବିଜୟାଦଶମୀ ପାଳନ କରାଯାଏ । ଗତକାଲି ଶକ୍ତି ପୀଠଗୁଡିକରେ ଜଗତଜନନୀ ମା’ ଦୁର୍ଗାଙ୍କର ଦଶମୀପୂଜା ହୋଇଥିବା ବେଳେ ଆଜି ମଣ୍ଡପ ଗୁଡିକରେ ଦଶମୀପୂଜା ଆରମ୍ଭ ହୋଇଯାଇଛି । ଏହିକ୍ରମରେ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ବିଜୟାଦଶମୀ ନୀତି । ସୁନାବେଶ ବା ରାଜରାଜଶ୍ୱେର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ।
କିରିଟି, ଚୁଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଶ୍ରୀଭୂଜ, ଶ୍ରୀପୟର ଓ ଘାଗଡ଼ା ମାଳି ଆଦି ସ୍ବର୍ଣ୍ଣଅଳଙ୍କାରରେ ବିଭୂଷିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ସକାଳ ଧୂପ ପରେ ଆୟୁଧ ମାନଙ୍କର ମାଜଣା ପୂଜା ସରିବା ପରେ ମହାପ୍ରଭୁ ଆୟପଧ ଧାରଣ କରିବେ। ଶ୍ରୀମନ୍ଦିରରେ ଅବକାଶ ନିତୀ ପରେ ଶ୍ରୀଜିଉଙ୍କର ସୁନାବେଶ ଅନୁଷ୍ଠିତ ହେବ।
ଆଜି ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।