ଭୁବନେଶ୍ୱର: ଆଜି ମହାମାୟାଙ୍କ ମହାନବମୀ ପୂଜା। ରାଜ୍ୟର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟପଟେ ପୀଠରେ ଚାଲିଛି ମା'ଙ୍କ ଦଶମୀ ପୂଜା। ନବମୀରେ କୁମାରୀ ପୂଜା କରିବାର ବିଧି ରହିଛି। ତେଣୁ କିଛି ମଣ୍ଡପରେ କୁମାରୀ ପୂଜା, ଗୋ-ପୂଜନ କରାଯିବ। ସେହିଭଳି ବଙ୍ଗୀୟ ପରମ୍ପରା ଅନୁସାରେ କେତେକ ମଣ୍ଡପରେ ସିନ୍ଦୂର ଖେଳ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି। ମା’ଙ୍କୁ ଝିଅ ଭାବେ ପୂଜା କରିବା ସହ ବଙ୍ଗୀୟ ଢାଞ୍ଚାରେ ସିନ୍ଦୂର ଖେଳ କରାଯାଇଥାଏ।
ଶାରଦୀୟ ନବରାତ୍ରର ନବମ ଅର୍ଥାତ ଅନ୍ତିମ ଦିବସରେ ମା’ ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ମା’ ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରରେ ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ। ସିଦ୍ଧିଦାତ୍ରୀ ଦେବୀ ତପସ୍ଵୀର ସ୍ଵରୂପ। ପୁରାଣ ଅନୁସାରେ ଭଗବାନ ଶିବ କଠିନ ତପସ୍ୟା କରି ମା’ ସିଦ୍ଧିଦାତ୍ରୀଙ୍କ ସିଦ୍ଧି ପ୍ରାପ୍ତ କରିଥିଲେ। ଏହା ସହ ମା’ ସିଦ୍ଧିଦାତ୍ରୀଙ୍କ କୃପାରୁ ମହାଦେବଙ୍କ ଅଧା ଶରୀର ଦେବୀଙ୍କ ସ୍ଵରୂପ ହୋଇଯାଇଥିଲା। ଏହି ମା’ ଙ୍କ କୃପାରୁ ଦେବ ଦେବ ମହାଦେବ ଅର୍ଦ୍ଧନାରୀଶ୍ଵର ରୂପରେ ପୂଜା ପାଇଥିଲେ। ମା’ଙ୍କର ପୂଜା କଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି