ଭୁବନେଶ୍ୱର: ଆଜି ପବିତ୍ର ବିଜୟା ଦଶମୀ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଅଧର୍ମ ଉପରେ ହେବ ଧର୍ମର ବିଜୟ । ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା ।
ପୁରାଣରେ ବର୍ଣ୍ଣିତ ଅଛି ଯେ, ମହିଷାସୁରର ଅତ୍ୟାଚାରରେ ଦେବତାମାନେ ଯେତେବେବେଳେ ତ୍ରାହି ତ୍ରାହି ଡାକିଲେ ଏବଂ ପୃଥିବୀ ଭୟରେ ଥରହର ହେଉଥିଲା ସେହି ସମୟରେ ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆର୍ବିଭୂତା ହୋଇଥିଲେ ମା' ଦୁର୍ଗତିନାଶିନୀ ଦୁର୍ଗା । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନକରିଥିଲେ । ଶେଷରେ ଦେବୀ ସିଂହବାହିନୀ ମହିଷାସୁର ସହ ଯୁଦ୍ଧ କରିଥିଲେ । ଦେବୀ ତ୍ରିଶୂଳ ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଡଦ୍ବାରା ଶିରଚ୍ଛେଦନ କଲେ । ପାପୀ ମହିଷାସୁରକୁ ବଦ୍ଧ କରି ତିନିପୁରରେ ମା ଦୁର୍ଗା ଶାନ୍ତି ପ୍ରତିଷ୍ଠା କରିଥିଲେ ।
ଆହୁରି ମଧ୍ୟ ପୁରାଣ ବର୍ଣିତ ରହିଛି ଯେ ଆଜିର ଦିନରେ ଭଗବାନ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଲଙ୍କାର ରାଜା ରାବଣକୁ ବଧ କରି ଲଙ୍କାପୁରୀରୁ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ । ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିଲା। । ତେଣୁ ଆଜିର ଦିନକୁ ବିଜୟା ଦଶମୀ ରୂପେ ପାଳନ କରାଯାଏ। ଦଶମୀ ପୂଜାକୁ ଅପରାଜିତା ପୂଜା ବୋଲି ମଧ୍ୟ କୁହାଯାଏ । ଏହିଦିନ ମାଆଙ୍କୁ ଅପରାଜିତା ଫୁଲରେ ପୂଜାର୍ଚ୍ଚନା କଲେ ମା ଦଶଭୁଜା ସନ୍ତୁଷ୍ଟ ହୋଇଥାନ୍ତି ।
ଏହାସହ ଏହିଦିନ ଦଶହରାରେ ଅସ୍ତ୍ର ପୂଜା କରିବାର ନିୟମ ମଧ୍ୟ ରହିଛି। ସନାତନ ପରମ୍ପରାରେ ଉଭୟ ଅସ୍ତ୍ରଶସ୍ତ୍ର ଏବଂ ଶାସ୍ତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶାସ୍ତ୍ରର ସୁରକ୍ଷା ଏବଂ ଆତ୍ମରକ୍ଷା ପାଇଁ ଏକ ଧାର୍ମିକ ଉପାୟରେ ଅସ୍ତ୍ର ବ୍ୟବହାର କରାଯାଇଛି । ଯେଉଁଥିପାଇଁ ଅସ୍ତ୍ର ପୂଜା କରିବାର ପରମ୍ପରା ଆଜି ବି ଜାରି ରହିଛି ।