କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗ୍ରାମର ଛାତ୍ରୀ ମୃତ୍ୟୁ ମାମଲାରେ ଏପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରିପାରନାହିଁ । ଛାତ୍ରୀଙ୍କୁ ବ୍ଲାକମେଲ୍ କରୁଥିବା ଯୁବକଙ୍କ ପାଖରେ ପୋଲିସ ପହଁଚି ପାରିନାହିଁ । ସେପେଟେ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ଭଳି ଲାଗୁଛି ବୋଲି କେନ୍ଦ୍ରାପଡ଼ା ଏସପି କହିଛନ୍ତି ।
ଏସପି ସିଦ୍ଧାର୍ଥ କଟାରିଆ ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଥମେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ଜାରି ରହିଛି । କିନ୍ତୁ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ଭଳି ଲାଗୁଛି । ପାରିପାର୍ଶ୍ୱିକ ପରିସ୍ଥିତିରୁ ଏଭଳି ଲାଗୁଛି । କାରଣ ଘର ଲୋକଙ୍କ ବୟାନ ମୁତାବକ ଘର ସମସ୍ତ କବାଟ ବନ୍ଦ ଥିଲା । ତେଣୁ ଏହା ଏକ ଆତ୍ମହତ୍ୟା ଭଳି ଲାଗୁଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଯଦି ଆତ୍ମହତ୍ୟା କରିଛନ୍ତି ତାହାର କାରଣ କ’ଣ ତଦନ୍ତ କରିବୁ ବୋଲି କହିଛନ୍ତି ଏସ୍ପି ।
ଅନ୍ୟପକ୍ଷରେ ପୀଡ଼ିତାଙ୍କର ଆଜି କଟକ ଏସସିବି ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରାଯାଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଦାବି କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ସକାଳ ସାଢ଼େ ୭ଟା ସମୟରେ ବାପା ଏବଂ ମାଆ ପଟ୍ଟାମୁଣ୍ଡାଇ ମେଡ଼ିକାଲ ଯାଇଥିଲେ । ପୂର୍ବାହ୍ନ ପ୍ରାୟ ୧୧ ଟା ୩୦ ବେଳକୁ ଫେରିବା ପରେ ଘର କବାଟ ବାଡ଼େଇଥିଲେ । କିନ୍ତୁ ଝିଅ ଆଉ କବାଟ ଖୋଲି ନ ଥିଲା । ବାପା କବାଟ ବାଡ଼େଇ ବାଡ଼େଇ ଥକି ଯାଇଥିଲେ । ଏହା ପରେ ବାପା ଏକ ଖଣଦି ସାହାଯ୍ୟରେ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ । ସିଡ଼ି ଘର ନିକଟରେ ଝିଅର ଦଗ୍ଧ ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ । ଛାତ୍ରୀଙ୍କ ବାପାଙ୍କ କହିବା ମୁତାବକ, ଛାତ୍ରୀଙ୍କର ଜଣେ ପୁରୁଷ ବନ୍ଧୁ ତାଙ୍କୁ ଦୀର୍ଘ ମାସ ହେବ ବ୍ଲାକମେଲ୍ କରୁଥିଲେ । ଏ ନେଇ ସେ ଦୀର୍ଘ ୬ ମାସ ତଳେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଓଲଟା ପୁଅର ମୋବାଇଲ୍ ନମ୍ବର ବ୍ଲକ୍ କରିଦେବାକୁ ପରାମର୍ଶ ଦେଇଥିଲେ । ଫଳରେ ଝିଅ ମାନସିକ ଭାରସାମ୍ୟ ସହି ନ ପାରି ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ବାପା ।