କଟକ: ଡାଇରିଆ ପରେ ଏବେ ଗାଁରେ ଜଣ୍ଡିସ୍ ବ୍ୟାପିବାରେ ଲାଗିଛି । ଯାହା ଲୋକମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳାଇଦେଇଛି । କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଗୋବିନ୍ଦପୁର ଗାଁରେ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହେବା ପରେ ୩୩ ଜଣଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଜଣ୍ଡିସ୍ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ମାଣିଆବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୋବିନ୍ଦପୁର ଗାଁରେ ଜଣ୍ଡିସ ନ ବ୍ୟାପିବା ପାଇଁ ଗାଁରେ ଏକ ମେଡିକାଲ ଟିମ ପହଞ୍ଚି ତନାଘନା ଯାଞ୍ଚ ଜାରି ରଖିଛନ୍ତି । କିପରି ଲୋକମାନେ ଭୟଭୀତ ନ ହେବେ, ଗାଁ ରେ ଲୋକଙ୍କୁ ଜଣ୍ଡିସ ରୋଗ ନ ବ୍ୟାପିବ ସେଥିପାଇଁ ପ୍ରସ୍ତୁତି ମଧ୍ୟ କରାଯାଉଛି ।
ଉକ୍ତ ଗାଁରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ ମାଣିଆବନ୍ଧ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପହଞ୍ଚି ସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ । ଦୂଷିତ ପାଣି ପିଇ ଜଣ୍ଡିସ୍ ବ୍ୟାପୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେଥିପାଇଁ ତୁରନ୍ତ ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗାଁରେ ସ୍ବାସ୍ଥ୍ୟ ବିଭାଗର ଟିମ ପହଞ୍ଚି ଲୋକଙ୍କର ରକ୍ତ ନମୁନା ସହ କୂଅ ପୋଖରୀ, ପାଇପ ପାଣିର ମଧ୍ୟ ନମୁନା ସଂଗ୍ରହ କରୁଛନ୍ତି ।
ଗତ କିଛି ଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡାଇରିଆ ବ୍ୟାପିବାରେ ଲାଗିଥିଲା । ଦୂଷିତ ପାଣି ପିଇ ଡାଇରିଆ ବ୍ୟାପୁଥିବା ସନ୍ଦେହ କରାଯାଉଥିଲା । ସେ ସ୍ଥିତିରେ ସୁଧାର ଆସିବା ପରେ ଏବେ ଜଣ୍ଡିସ୍ ଆତଙ୍କ ଖେଳାଇବାରେ ଲାଗିଛି ।