ଭୁବନେଶ୍ୱର: ସକାଳେ ହଠାତ୍ ଟୁଇନ୍ ସିଟିରେ ବଦଳିଗଲା ପାଗ । ଘୋଟିଆସିଲା କଳାହାଣ୍ଡ୍ରିଆ ମେଘ । ପବନ, ଘଡ଼ଘଡି, ବିଜୁଳି ସାଙ୍ଗକୁ ବର୍ଷା ଲୋକଙ୍କୁ କଲବଲ କରିଛି । ଶୁକ୍ରବାର ସକାଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ପ୍ରଭାବରେ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ଜମିଛି ବର୍ଷା ପାଣି । ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାକୁ ଆସନ୍ତା ୨ ଘଣ୍ଟା ପାଇଁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ସେହିଭଳି କଟକ ଜିଲ୍ଲା ଆଗାମୀ ଘଣ୍ଟାଏ ପାଇଁ କାଳବୈଶାଖୀ ସତର୍କତା ଜାରି ହୋଇଛି । ଢେଙ୍କାନାଳ, କଟକ ଓ ବାଲେଶ୍ବରରେ ମଧ୍ୟ ବିଶେଷ କାଳବୈଶାଖୀ ପ୍ରଭାବ ରହିବା ନେଇ ପାଣିପାଗ ବିଭିଗ ସତର୍କତା ଜାରି କରିଛି ।
କାଳବୈଶାଖୀ ପ୍ରଭାବରେ ଢେଙ୍କାନାଳରେ ପବନ ଓ ବର୍ଷା ଜାରି ରହିଛି । ଗତକାଲି ମଧ୍ୟ ରାତିରୁ ବର୍ଷା ପବନ ଜାରି ରହିଛି । ତୁହାକୁ ତୁହା ବର୍ଷା ପବନ ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେପଟେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଆଜି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ପାଣିପାଗ ବିଭାଗ। କିଛି ଦିନ ହେଲା ଅସହ୍ୟ ଗରମ ଲାଗି ରହିଥିବା ବେଳେ କାଳବୈଶାଖୀ ବର୍ଷା ଗରମରୁ ଆଶ୍ବସ୍ତି ଆଣିବ ।