ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଥାନା ବରକାନୀରେ ରେଳ ଲାଇନ ନିର୍ମାଣକୁ ବିରୋଧବେଳେ ବଡ଼ ଅଘଟଣ ଘଟିଛି । ଜେସିବି ତଳେ ଆସି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜନତାଙ୍କ ଆକ୍ରମଣରେ ୬ ଜଣ ପୋଲିସ କର୍ମୀ ଆହତ ହୋଇଛି ।
ଦୀର୍ଘ ୪୦ ଦିନ ହେଲା ବରକାରୀ ଅଞ୍ଚଳରେ ନୂତନ ରେଳ ଲାଇନ ନିର୍ମାଣକୁ ବିରୋଧ କରାଯାଉଥିଲା । ଆଜି ସକାଳେ ନିର୍ମାଣ କାର୍ଯ୍ୟକୁ ଶତାଧିକ ସ୍ଥାନୀୟ ଲୋକ ଆସି ବିରୋଧ କରିଥିଲେ । ଜେସିବି ଚାଲୁଥିବା ସମୟରେ ଜଣେ ଯୁବକ ସାମ୍ନାକୁ ଚାଲି ଆସିଥିଲେ, ଫଳରେ ଜେସିବିରେ ଚାପି ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ପରେ ପୋଲିସ ଓ ଜନତା ମୁହାଁ ମୁହିଁ ହୋଇଛନ୍ତି । ଉତ୍ତ୍ୟକ୍ତ ଗ୍ରାମବାସୀ ପୋଲିସ ଉପରକୁ ମାରଣାସ୍ତ୍ର ଧରି ଆକ୍ରମଣ କରିବା ସହିତ ଢେଲା ପଥର ମାଡ଼ କରିଛନ୍ତି । ଫଳରେ 6 ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଲେଖା ଯିବା ବେଳକୁ ମୃତକଙ୍କ ପରିଚୟ ମିଳି ପାରି ନ ଥିଲା ।
ଗ୍ରାମବାସୀମାନେ ମୃତ ଦେହକୁ ରଖି ବିକ୍ଷୋଭ କରୁଛନ୍ତି । ଖବର ପାଇ ଅତିରିକ୍ତ ଏସପି ଘଟଣା ସ୍ଥଳରେ ପହଁଛନ୍ତି । ଉତ୍ତେଜନା ପରିସ୍ଥିତିକୁ ଦେଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।