ଯାଜପୁର: ବେଆଇନ ଭାବେ ଚାଲୁଥିବା ଏକ ସେବାଶ୍ରମ ଯାଜପୁର ପୋଲିସ ଓ ଶିଶୁ ସୁରକ୍ଷା ବିଭାଗର ମିଳିତ ଚଢ଼ଉ । ସେବାଶ୍ରମରୁ ୪ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ । ଏ ନେଇ ଯାଜପୁର ଏସଡିପିଓ ପ୍ରଶାନ୍ତ ମାଝୀ ସୂଚନା ଦେଇଛନ୍ତି ।
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳୁକୁଣ୍ଡ ସ୍ଥିତ ବିନା ପଞ୍ଜିକରଣରେ ବଳଦେବଜୀୟୁ ନାମରେ ସେବା ଆଶ୍ରମ ଦୀର୍ଘଦିନ ଧରି ବେଆଇନ ଭାବେ ଚାଲିଥିଲା । ପାଖାପାଖି ୩୦ରୁ ଉର୍ଦ୍ଧ ପିଲାଙ୍କୁ ରଖି ସେବା ଶ୍ରମ ଚଳାଉ ଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପିଲାମାନଙ୍କ ସୁରକ୍ଷା ପାଇଁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଶିଶୁ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏସଡିପିଓ ପ୍ରଶାନ୍ତ ମାଝୀ, ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ସମେତ ନିକଟସ୍ତ ତିନି ଥାନାର ପୋଲିସ ଅଧିକାରୀ ଉପସ୍ଥିତ ରହି ସେବାଶ୍ରମରେ ଚଢ଼ଉ କରିଥିଲେ । ସେବାଶ୍ରମରୁ ୪ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି ।
ଅନ୍ୟପଟେ ଦାଇତ୍ୱରେ ଥିବା ବ୍ୟକ୍ତି ଅନ୍ୟ ଶିଶୁମାନଙ୍କୁ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଆଗକୁ ପୋଲିସ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ଏସଡିପିଓ ପ୍ରଶାନ୍ତ ମାଝୀ । ସେପଟେ ମାଲିକଙ୍କୁ ଅଟକ ରଖି ପୋଲିସ ଜେରା ଆରମ୍ଭ କରିଛି ।