ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଲ୍ସ ନ୍ୟାରେଟିଭର କଡ଼ା ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନ୍ୟାରେଟିଭକୁ କାଉଣ୍ଟର କରିବାକୁ ନବୀନ ବାବୁ ପ୍ରସ୍ତୁତ ହୋଇ ରହୁନ୍ତୁ ବୋଲି କହିଛନ୍ତି ବିଜେପି ସଭାପତି ।
ମନମୋହନ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ନବୀନ ବାବୁ ଆଗକୁ ପ୍ରସ୍ତୁତ ହୁଅନ୍ତୁ ତାଙ୍କ ଫଲ୍ସ ନାରେଟିଭକୁ କାଉଣ୍ଟର କରିବାକୁ । ରାଜନୀତି ଲୋକ ସମସ୍ତ ନାରେଟିଭ୍ ପାଇଁ ପ୍ରସ୍ତୁତ ହେବା ଉଚିତ୍ । ବିଜେପି କଣ ମିଥ୍ୟା ଅପପ୍ରଚାର କରିଛି ତାକୁ ଗୋଟି ଗୋଟି କରି ଗଣାନ୍ତୁ ନବୀନ । ତା ପରେ ଆମେ ଜବାବ ରଖିବୁ । କେନ୍ଦ୍ର ୯ ବର୍ଷ ଧରି ଯାହା ଅନୁଦାନ ଦେଲା ତାର ହିସାବ ଦେଇପାରିଲେ ନାହିଁ ।ଆମେ ଦୀର୍ଘ ଏକ ବର୍ଷ ଧରି ପଚାରିଲୁ, ନିର୍ବାଚନ ସରିଗଲା ତା ପରେ ଉତ୍ତର ଦେଇ ପାରିଲେ ନାହିଁ ।
ସେହିପରି ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ବୋଲି କିଛି ନ ଥିଲା । ତାଙ୍କର ନେତା ଏବଂ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନ ଥିଲେ । କ୍ୟାବିନେଟରେ କୌଣସି ବିଷୟରେ ଆଲୋଚନା ହେଉ ନ ଥିଲା । ଦଳର ପ୍ରମୁଖ ନେତା ମାନେ ଆଲୋଚନା କରି ପାରୁ ନ ଥିଲେ । ସେହିପରି ଅନୁମୋଦିତ ଟଙ୍କା ଅପବ୍ୟୟ ହେଉଥିଲା । ଆମେ ତାଙ୍କୁ ପଚାରିଥିଲୁ, ସେ ଉତ୍ତର ଦେଇ ପାରି ନ ଥିଲେ । ଏହା ତାଙ୍କର ଅଯୋଗ୍ୟତା ଥିଲା । ଲୋକମାନେ ଯେତେବେଳେ ଜାଣିଲେ, ସେତେବେଳେ ପ୍ରତ୍ୟାଖ୍ୟାନ କଲେ ବୋଲି କହିଛନ୍ତି ମନମୋହନ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆଜି ବିଜେଡ଼ି ସାଙ୍ଗଠନିକ ବୈଠକରେ ନବୀନ କହିଥିଲେ ଯେ ଗତ ସାଧାରଣ ନିର୍ବାଚନରେ ଦଳ ବିରୋଧରେ ଫଲ୍ସ ନ୍ୟାରେଟିଭ୍ କରାଯାଇଥିଲା । ଯେଉଁଥିପାଇଁ ଦଳ ହାରିଥିଲା ବୋଲି ସେ କହିଛନ୍ତି ।