ଭୁବନେଶ୍ୱର: ଏକ ସୁସ୍ଥ ଶିଶୁ ହିଁ ଉତ୍ତମ ଛାତ୍ର ଓ ଭବିଷ୍ୟତରେ ଏକ ଆଦର୍ଶ ନାଗରିକ ହୋଇପାରିବ। ସୁସ୍ଥ ଶିଶୁ, ସୁସ୍ଥ ଭବିଷ୍ୟତର ପ୍ରତୀକ । ଶୈଶବରେ ଉପଯୁକ୍ତ ପୋଷଣ ପାଇଲେ ଶିଶୁର ସ୍ୱାସ୍ଥ୍ୟ ଉନ୍ନତ ହେବା ସହିତ ତା’ର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ। ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ ପାଳନ ଅବସରରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାକୁ କୁପୋଷଣ ମୁକ୍ତ କରିବା ଆମର ପ୍ରାଥମିକତା । ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି। କିନ୍ତୁ ଏହା ପାଇଁ ସାମୁହିକ ସଚେତନତା ଖୁବ୍ ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ଆହ୍ୱାନ ଦେଇଛନ୍ତି । ପୋଷଣ ଉପରେ ଆମର ନୂଆ ସରକାର ଅଧିକ ଫୋକସ୍ ରଖି କାମ କରିବା ଆରମ୍ଭ କରିଛନ୍ତି। ଯେହେତୁ ଏକ ସମୃଦ୍ଧ ଓଡିଶା ଗଠନ ଆମର ଲକ୍ଷ୍ୟ ତେଣୁ, ଆମ ଓଡିଶାକୁ ସୁ-ପୋଷିତ କରିବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅଙ୍ଗନବାଡି କର୍ମୀ ଓ ସୁପରଭାଇଜରମାନେ ପିଲାଙ୍କ ଦ୍ୱିତୀୟ ମାଆ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରୁ କୁପୋଷଣ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ରୁ ପିଏମ୍ ପୋଷଣ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ଗର୍ଭବତୀ ଓ ପ୍ରସୂତି ମହିଳା, କିଶୋରୀ ଓ ଛ ବର୍ଷରୁ କମ୍ ବର୍ଷର ଶିଶୁମାନଙ୍କ ପୋଷଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।
ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନର ୮ଟି ବିଲ୍ଡିଂ ୮ ଜଣ ମହିୟସୀ ମହିଳାଙ୍କ ନାମରେ ନାମିତ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଲକ୍ଷ୍ମୀସାଗର-ଝାରପଡା ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଂସ୍ଥାରେ ୮୪ ଶଯ୍ୟା ବିଶିଷ୍ଟ ଏକ ନୂତନ ହଷ୍ଟେଲ ଉଦ୍ଘାଟନ କରିବା ସହିତ ଏକ ଲାଇବ୍ରେରୀ ହଲ ଏବଂ ଅଙ୍ଗନବାଡି ଟ୍ରେନିଙ୍ଗ୍ ସେଣ୍ଟର ମଧ୍ୟ ଶୁଭ ଉଦ୍ଘାଟନ କରିଛନ୍ତି । ପ୍ରତିଷ୍ଠାନର 8ଟି ବିଲ୍ଡିଙ୍ଗକୁ ଓଡ଼ିଶାର ମହିୟସୀ ମହିଳାଙ୍କ ନାମରେ ନାମିତ କରିବା ପାଇଁ ଘୋଷଣା କରିବା ସହିତ ପ୍ରତିଷ୍ଠାନର କନଫରେନସ୍ ହଲ୍କୁ ରମାଦେବୀ ସମ୍ମିଳନୀ କକ୍ଷ ନାମରେ ନାମିତ କରି ଏହାର ପରିଧିକୁ ବୃଦ୍ଧି କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ଅଡିଟୋରିଅମ୍ ହଲ୍କୁ ସରଳା ଦେବୀ ପ୍ରେକ୍ଷାଳୟ, ଲାଇବ୍ରେରୀ ହଲ୍କୁ କମଳା ପୂଜାରୀ ଗ୍ରନ୍ଥାଗାର, ଅଙ୍ଗନବାଡି ଟ୍ରେନିଙ୍ଗ ସେଣ୍ଟରକୁ ଶୈଳବାଳା ଦାସ ପ୍ରଶିକ୍ଷଣ କକ୍ଷ, ନୂଆ ହଷ୍ଟେଲକୁ ମାଳତୀ ଚୌଧୁରୀ ନିବାସ, ଅଙ୍ଗନବାଡି କର୍ମୀ ହଷ୍ଟେଲକୁ ବାଙ୍ଗରା ଦେବୀ ନିବାସ ଏବଂ ଗେଷ୍ଟ ହାଉସ୍କୁ ଗୁରୁବାରୀ ଜାନୀ ଅତିଥି ଭବନ ନାମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଏ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁରୀ, କେନ୍ଦ୍ରାପଡା ଓ ଭଦ୍ରକଙ୍କୁ ମୁଖ୍ୟମନ୍ତ୍ରୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରିଛନ୍ତି ।
ନିଜେ ନିଜର ପୋଷକତତ୍ତ୍ୱକୁ ଠିକ୍ ରଖିବା ସହିତ ସମାଜ ପାଖରେ ପହଞ୍ଚାଇ ପାରିଲେ ଏକ ସୁସ୍ଥ ଓ ବିକଶିତ ଓଡିଶା ଆମେ ଗଠନ କରି ପାରିବା ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଅନୁ ଗର୍ଗ, ସଚିବ ଶୁଭା ଶର୍ମା ପ୍ରମୁଖ ଯୋଗ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ପିଲାମାନଙ୍କ ପୁଷ୍ଟିହୀନତା ଦୂର କରିବା ପାଇଁ ପୋଷଣ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଛି। ପ୍ରତି ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ୧୫ ଦିନ ଧରି ପୋଷଣ ପକ୍ଷ ପାଳନ କରାଯାଏ । ଚଳିତ ବର୍ଷ ଅଙ୍ଗନବାଡିଠୁ ଆରମ୍ଭ କରି ଜାତୀୟସ୍ତର ପର୍ଯ୍ୟନ୍ତ ଏପ୍ରିଲ ୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷ ପାଳନ କରାଯାଉଛି।